ଲୋକେ କହୁଥିଲେ ପୁଅ ମରିଯାଇଛି କିନ୍ତୁ ବାପା ବିଶ୍ୱାସ କରିବାକୁ ରାଜି ନଥିଲେ…

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ବିଶ୍ୱାସ ହିଁ ଭଗବାନ । ଏହାର ଏକ ଜ୍ୱଳନ୍ତ ଉଦାହରଣ ବାହାନଗା ରେଳ ଦୁର୍ଘଟଣାରେ ଦେଖିବାକୁ ମିଳିଛି। ଲୋକେ କହୁଥିଲେ ପୁଅ ଦୁନିଆ ଛାଡ଼ି ଚାଲିଯାଇଛି । କିନ୍ତୁ ବାପା ଏହା ମାନିବାକୁ ରାଜି ନଥିଲେ । ଆଉ ତାଙ୍କର ଏହି ବିଶ୍ୱାସ ପୁଅକୁ ଜମ ମୁହଁରୁ ଫେରାଇ ଆଣିଛି ।

କରମଣ୍ଡଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ବିଶ୍ୱଜିତ ମଲିକ(୨୪)ଙ୍କ ପିତା ହେଲାରାମ ମଲିକଙ୍କୁ ଦୁର୍ଘଟଣାରେ ପୁଅର ମୃତ୍ୟୁ ହେବା ନେଇ ଖବର ମିଳିଥିଲା । କିନ୍ତୁ ବାପା ଏହା ବିଶ୍ୱାସ କରିନଥିଲେ । ପୁଅକୁ ଖୋଜିବା ପାଇଁ ବାପା ଯଥାଶୀଘ୍ର କୋଲକାତାରୁ୨୩୦ କିମିରୁ ଅଧିକ ଯାତ୍ରା କରି ବାଲେଶ୍ୱର ପହଞ୍ଚିଥିଲେ । ସେଠାରେ ପୁଅକୁ ସବୁ ହସ୍ପିଟାଲରେ ଖୋଜିବା ସତ୍ୱେ ପାଇନଥିଲେ । ଶେଷରେ ଶବାଗୃହରୁ ଜୀବିତ ପାଇଥିଲେ । ପରେ ଅଧିକ ଚିକିତ୍ସା ପାଇଁ ସେ ପୁଅକୁ କୋଲକାତା ନେଇଯାଇଥିଲେ ।

ବାପା ହେଲାରାମ ମଲିକ କହିଛନ୍ତି ଯେ, ଆମେ କେବେ ବି ହାର ମାନି ନଥିଲୁ । ବିଶ୍ୱଜିତ ବଞ୍ଚିଥିବା ଆଶାରେ ଆମେ ସେଠାକାର ଲୋକଙ୍କୁ ପଚରାଉଚୁରା କରୁଥିଲୁ । ଯଦି ହସ୍ପିଟାଲରେ ପୁଅ ମିଳୁନି ତେବେ ଶବ ରଖାଯାଇଥିବା ବାହାନଗା ହାଇସ୍କୁଲ ଯାଆନ୍ତୁ ବୋଲି ଜଣେ ବ୍ୟକ୍ତି କହିଥିଲେ । ଆମେ ଏହାକୁ ସ୍ୱୀକାର କରୁନଥିଲେ ମଧ୍ୟ ସେଠାକୁ ଗଲୁ । ସେଠାକାର ଅସ୍ଥାୟୀ ଶବାଗୃହରେ ଅନେକ ଶବ ଥିଲା । ସେଠାରେ ପହଞ୍ଚିବାର କିଛି ସମୟ ମଧ୍ୟରେ ଏକ ଶବ ହାତ ହଲାଉଥିବା ସେଠାରେ ଉପସ୍ଥିତ ଥିବା ଜଣେ ଲୋକ ଦେଖିବାକୁ ପାଇଥିଲେ । ସେଠାରେ ମୁଁ ମହଜୁଦ ଥିବାରୁ ଉକ୍ତ ହାତଟି ବିଶ୍ୱଜିତର ବୋଲି ଚିହ୍ନି ପାରିଥିଲି । ସେ ସଜ୍ଞାହୀନ ହେବାସହ ଗମ୍ଭୀର ଭାବେ ଆହତ ହୋଇଥିଲା । ସେଠାରୁ କୁରନ୍ତ ଆମ୍ବୁଲାନ୍ସ ଯୋଗେ ତାକୁ ବାଲେଶ୍ୱର ହସ୍ପିଟାଲ ନେଇଥିଲୁ । କିଛି ଇଞ୍ଜେକ୍ସନ ଦେବା ପରେ ସ୍ୱାସ୍ଥ୍ୟବସ୍ଥା ଦେଖି ଡାକ୍ତର ଏସସିବି ନେବାକୁ କହିଥିଲେ। କିନ୍ତୁ ଆମେ ସିଧାସଳଖ କୋଲକାତା ନେଇ ଆସିଥିଲୁ । ସୋମବାର ବିଶ୍ୱଜିତର ସର୍ଜରୀ ହେବ ।