ବିଜେପିରେ ସାମିଲ ହେଲେ ଏଣ୍ଟୋନୀଙ୍କ ପୁଅ, ପିତା ଦୁଃଖିତ

କେରଳ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଏଣ୍ଟୋନୀଙ୍କ ପୁଅ ଅନିଲ ଏଣ୍ଟୋନୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟେଲ, ବି ମୁରଲୀଧରନ ଓ କେରଳ ବିଜେପି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଅନିଲ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ସାମିଲ ହେବା ପରେ ଅନିଲ କହିଛନ୍ତି ଯେ, ଜଣେ ଯୁବ ଭାରତୀୟ ହିସାବରେ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ରୀୟ ଏକତା ଦୃଷ୍ଟିକୋଣରେ ନିଜର ଯୋଗଦାନ ଦେବା ମୋର କର୍ତ୍ତବ୍ୟ ବୋଲି ମୁଁ ଅନୁଭବ କରୁଛି । ଅନ୍ୟପଟେ ପିତା ଏକେ ଏଣ୍ଟୋନୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ ତାଙ୍କ ପୁଅର ନିଷ୍ପତ୍ତିରେ ଦୁଃଖ ପ୍ରକାଶ କରିଛନ୍ତି ।

ତିରୁଅନନ୍ତପୁରମରେ ମିଡିଆ ସହ ଆଲୋଚନା କରି ଏକେ ଏଣ୍ଟୋନୀ କହିଛନ୍ତି ଯେ, ଅନିଲଙ୍କ ବିଜେପିରେ ଯୋଗଦେବା ନିଷ୍ପତ୍ତି ମୋତେ ଆହତ କରିଛି । ଏହା ଏକ ଭୁଲ ନିଷ୍ପତ୍ତି । ଭାରତର ଆଧାର ଏକତା ଓ ସଦଭାବ ଉପରେ ପର୍ଯ୍ୟବେସିତ । ୨୦୧୪ ପରଠୁ, ମୋଦୀ ସରକାର ଶାସନରେ ଆସିବା ଦିନରୁ ଯୋଜନବଦ୍ଧ ଭାବେ ବିବିଧତା ଓ ଧର୍ମନିରପେକ୍ଷତାକୁ ଦୁର୍ବଳ କରାଯାଇଛି । ବିଜେପି ଦେଶର ସାମ୍ବିଧାନିକ ମୂଲ୍ୟକୁ ନଷ୍ଟ କରୁଛି । ମୋର ନିଷ୍ଠା ସର୍ବଦା ନେହେରୁ ପରିବାର ସହ ରହିବ ।