କର୍ଣ୍ଣାଟକରେ ମେଟ୍ରୋ ଓ ମେଡିକାଲ କଲେଜ ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଙ୍ଗାଲୁରୁରେ ନୂଆ ମେଟ୍ରୋ ଲାଇନର ଉଦଘାଟନ କରିଛନ୍ତି । ଏହି ଅବସରରେ ବାଙ୍ଗାଲୁରୁ ମେଟ୍ରୋର ହ୍ୱାଇଟଫିଲ୍ଡରୁ କୃଷ୍ଣରାଜପୁରା ମେଟ୍ରୋ ଲାଇନରେ ଯାତ୍ରା ପାଇଁ ମୋଦୀ ମେଟ୍ରୋ ଟିକେଟ କିଣିଥିଲେ । ମୋଦୀ ଏହି ସମୟରେ ମେଟ୍ରୋରେ ଥିବା ଲୋକଙ୍କ ସହ ମଧ୍ୟ କଥା ହୋଇଥିଲେ । ଏଥିସହିତ ମୋଦୀ ଚିକ୍କାବଲ୍ଲାପୁର ମଧୁସୂଦନ ସାଈ ମେଡିକାଲ ସାଇନ୍ସ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ସମ୍ବୋଧିତ କରି କହିଛନ୍ତି ଯେ, ସମସ୍ତଙ୍କ ପ୍ରୟାସ ବଳରେ ଭାରତର ବିକାଶ ହେଉଛି। ସମସ୍ତଙ୍କ ଭାଗିଦାରୀ ବଳରେ ଭାରତ ଆଗକୁ ବଢ଼ୁଛି । ଆଜି ଏଠାରେ ଯେଉଁ ମେଡିକାଲ କଲେଜର ଉଦଘାଟନ କରାଯାଇଛି ତାହା ମାନବତାର ସେବା ମିଶନକୁ ଆଗକୁ ବଢ଼ାଇବ ।

ସେହିପରି ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭୋଟ ବ୍ୟାଙ୍କ ପାଇଁ କିଛି ପାର୍ଟି ଭାଷା ଉପରେ ଖେଳ ଖେଳୁଛନ୍ତି । ପୂର୍ବ ସରକାର କନ୍ନଡରେ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା ଦେବା ଦିଗରେ ପଦକ୍ଷେପ ନେଇ ନଥିଲେ ।