ଲକ୍ଷ୍ନୌ,ଏଜେନ୍ସି: ଉତ୍ତରପ୍ରଦେଶର ଅଭାବନୀୟ ଘଟଣା । ନିର୍ମାଣଧିନ ଶୀତଳ ଭଣ୍ଡାରରେ ବିସ୍ଫୋରଣ ଘଟି ଛାତ ଭୁଶୁଡିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମେରଟର ଡୌରାଲା ପୋଲିସ ଷ୍ଟେସନ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।ତେବେ ଶୀତଳ ଭଣ୍ଡାରର ଛାତ ଭୁଶୁଡିବା ପରେ ସେଠାରେ କାମ କରୁଥିବା ଶ୍ରମିକ ଚାପି ହୋଇଯାଇଥିଲେ । ଏନେଇ ଖବର ପାଇଁ ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶୀତଳ ଭଣ୍ଡାରର ଚାରି ପାଖରେ ଥିବା ଅଳିଆ ଗଦାରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,” ବିସ୍ଫୋରଣର ପ୍ରଭାବ ଯୋଗୁଁ ଶୀତଳ ଭଣ୍ଡାରର ଛାତ ଭୁଶୁଡି ପଡିଥିଲା । ଫଳରେ ଅନେକ ଶ୍ରମିକ ଭଙ୍ଗା ଛାତ ତଳେ ଚାପି ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ । ”
ଦୁର୍ଘଟଣା ସମୟରେ ଶୀତଳ ଭଣ୍ଡାରରେ କେତେ ଜଣ ଶ୍ରମିକ ଥିଲେ ତାହା ଜଣାପଡିନାହିଁ । ଆହତ ହୋଇଥିବା ଶ୍ରମିକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଜିଲ୍ଲାର ଅନେକ ବରିଷ୍ଠ ଅଧିକାରୀ ମଧ୍ୟ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଏହି ଶୀତଳ ଭଣ୍ଡାର ଜଣେ ପୂର୍ବତନ ବିଧାୟକଙ୍କର ହୋଇଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟରେ ୨ରୁ ୩ଟି ଜେସିବି ମେସିନ ନିୟୋଜିତ ଅଛି ।