ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ସୁଆଣ୍ଡୋ ଗସ୍ତରେ ଯିବେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ପୁରୀ ଜିଲ୍ଲା ଲାଗି ମୁଖ୍ୟମନ୍ତ୍ରୀ କିଛି ନୂଆ ଘୋଷଣା କରିବାର ସମ୍ଭାବନା ରହିଛି । ଏହା ସହ ନିମାପଡାକୁ ଉପଖଣ୍ଡ ଭାବେ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ବକୁଳବନ ପ୍ରକଳ୍ପ ନେଇ ମଧ୍ୟ ଘୋଷଣା ହୋଇପାରେ ।
ସେବା ଓ ସଂଗ୍ରାମର ପ୍ରତୀକ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ । ଓଡିଆ ଜନମାନସର ସେ ଅଦ୍ବିତୀୟ ନେତା । ଦେଶ ପାଇଁ, ଜାତି ପାଇଁ ତାଙ୍କର ତ୍ୟାଗ ଆଜି ତାଙ୍କୁ ଅମର କରି ରଖିଛି । ଗୋପବନ୍ଧୁଙ୍କ ଜନ୍ମସ୍ଥାନ ଏବଂ ସୁଆଣ୍ଡୋର ବିକାଶ କାର୍ଯ୍ୟ ପଣ୍ଡିତ ଗୋପବନ୍ଧୁଙ୍କ ପରିବାର ତଥା ସୁଆଣ୍ଡୋ ଜନସାଧାରଣଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି । ଉତ୍କଳମଣିଙ୍କ ଷଠୀଘର, ଢିଙ୍କିଶାଳ ଆଦିର ସଂରକ୍ଷଣ କାର୍ଯ୍ୟ ହୋଇଛି । ଏହା ସହିତ ଗାଁ ପୋଖରୀର ପୁର୍ନରୁଦ୍ଧାର କାର୍ଯ୍ୟ ତଥା ସଂଗ୍ରହାଳୟ କାର୍ଯ୍ୟ ଶେଷ ହୋଇଛି । ଏହା ସହ ଉତ୍କଳମଣିଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର ଶିବ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା । ସୁଆଣ୍ଡୋବାସୀଙ୍କ ଅନୁରୋଧ କ୍ରମେ ଲୋକେଶ୍ୱର ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ପନ୍ନ କରାଯାଇଛି । ଏହାର ପ୍ରତିଷ୍ଠା ଉତ୍ସବରେ ୫ଟି ସଚିବ ଭି.କେ ପାଣ୍ଡିଆନ ଯୋଗ ଦେଇ ପୂର୍ଣ୍ଣାହୁତିରେ ଅଂଶଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭିକେ ପାଣ୍ଡିଆନ ଏକାଧିକବାର ସୁଆଣ୍ଡୋ ଗସ୍ତ କରି ସେଠାରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗୋପବନ୍ଧୁଙ୍କ ଦାୟାଦ ମାନଙ୍କୁ ଭେଟି ସ୍ମୁତି ପୀଠ ବିଷୟରେ ଆଲୋଚନା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମ ପୀଠର ବିକାଶ ପାଇଁ ସରକାରଙ୍କ ପଦକ୍ଷେପର ସେମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ସେ ଅଞ୍ଚଳର ଜନସାଧାରଣଙ୍କ ବହୁଦିନର ଦାବି ଥିଲା ।