ଚେନ୍ନାଇ,ଏଜେନ୍ସି: ଆଜି(ଶନିବାର)ଠୁ ଦୁଇ ଦିନିଆ ତାମିଲନାଡୁ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ତାମିଲନାଡୁ ଅଭିମୁଖେ ବାହାରିବା ପରେ ମଧ୍ୟାହ୍ନ ୧୨ଟା ସମୟରେ ମଦୁରାଇରେ ପହଞ୍ଚିବେ ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆଜି ରାଷ୍ଟ୍ରପତି କୋଏମ୍ବାଟୁରରେ ଇଶା ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ମହାଶିବରାତ୍ରୀରେ ସାମିଲ ହେବେ ।
ଫେବୃଆରୀ ୧୯ ବା ଆସନ୍ତାକାଲି ୱେଲିଙ୍ଗଟନ୍ର ଡିଫେନ୍ସ ସର୍ଭିସେସ ଷ୍ଟାଫ୍ କଲେଜ ପରିଦର୍ଶନ କରିବେ ରାଷ୍ଟ୍ରପତି । ଏଥିସହ ୭୮ ତମ ଷ୍ଟାଫ୍ ପାଠ୍ୟକ୍ରମରେ ସାମିଲ ହୋଇ ସଦସ୍ୟ ମାନଙ୍କୁ ସମ୍ବୋଧିତ କରିବେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତାମିଲନାଡୁରେ ସୁରକ୍ଷାକୁ କଡା କଡି କରାଯାଇଛି । ଏନେଇ ରାଜ୍ୟ ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି । ତେବେ ମଦୁରାଇରେ ରାଷ୍ଟ୍ରପତି ମିନାକ୍ଷୀ ଆମ୍ମନ ମନ୍ଦିର ପରିଦର୍ଶନ କରିବେ ।