ଭୁବନେଶ୍ବର,ଏନ୍ଏନ୍ଏସ୍: ବଜେଟ ପରବର୍ତ୍ତୀ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଭୁବନେଶ୍ବରରେ ଆୟୋଜିତ ଆଲୋଚନାଚକ୍ର ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏଥିରେ ମୋଦି ସରକାରଙ୍କ ସମୟରେ ଏମ୍ଏସ୍ପି ଦରରେ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହୋଇଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଏହା ସହ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା, ମନରେଗା ସମସ୍ୟା, ଆବାସ ବିବାଦ, ଅଦାନୀ ପ୍ରସଙ୍ଗ, ପେଟ୍ରୋଲକି ଜିଏସ୍ଟି ପରିସର ଭୁକ୍ତ କରିବା ପ୍ରସଙ୍ଗରେ ମଧ୍ୟ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, “ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଏକ ଚାହିଦାଭିତ୍ତିକ ଯୋଜନା । ଲୋକଙ୍କ ଚାହିଦା ବଢ଼ିଲେ ବ୍ୟୟ ବରାଦ ବଢ଼ିବ । ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ବିନିଯୋଗ ହେଉଛି । ଯାହା ପୂର୍ବରୁ କେନ୍ଦ୍ର ସରକାର ସମୟରେ ହେଉନଥିଲା । କିଛି ରାଜ୍ୟ ଏବେ ଏହାକୁ ନେଇ ପ୍ରସଙ୍ଗ କରୁଛନ୍ତି । କିନ୍ତୁ ଏମିତି ବି ରାଜ୍ୟ ଅଛନ୍ତି, ଯେଉଁ ମାନଙ୍କୁ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ମଧ୍ୟ ଖର୍ଚ୍ଚ କରିପାରୁନାହାନ୍ତି ।”