ଭୁବନେଶ୍ବର,ଏନ୍ଏନ୍ଏସ୍: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାମହିମ ସକାଳେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି । ତାଙ୍କର ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ଅଛନ୍ତି । ମନ୍ଦିରରେ ରାଷ୍ଟ୍ରପତି ପ୍ରଭୁ ଲିଙ୍ଗରାଜଙ୍କୁ ଜଳାଭିଷକ କରିବା ସହ ପ୍ରାୟ ୩୦ ମିନିଟ୍ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ମନ୍ଦିରରେ ଅଧଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ମହିମହିମ ଗସ୍ତ ପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ରାଷ୍ଟ୍ରପତି ମୁର୍ମୁ ପ୍ରଥମେ ବିନ୍ଦୁ ସାଗରକୁ ଯାଇଥିଲେ । ସେଠାରୁ ଖାଲି ପାଦରେ ଚାଲି ଚାଲି ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ରାଷ୍ଟ୍ରପତିଙ୍କୁ ୪ ନିଯୋଗ ସମ୍ପାଦକ ସ୍ବାଗତ କରିଥିଲେ । ବର୍ତ୍ତମାନ ମହାମହିମ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି । ଲିଙ୍ଗରାଜ ମନ୍ଦିର ପରିଦର୍ଶନ ପରେ ରାଷ୍ଟ୍ରପତି ମୁର୍ମୁ ହେଲିକପ୍ଟର ଯୋଗେ କଟକ ଯିବେ । କଟକ ବିଦ୍ୟାଧରପୁରରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଆୟୋଜିତ ଦ୍ବିତୀୟ ଜାତୀୟ ଧାନ କଂଗ୍ରେସର ସମ୍ମିଳନୀକୁ ଉଦଘାଟନ କରିବେ ।