ବରିଷ୍ଠ ନାଗରିକଙ୍କ ଏସ୍‌ସିଏସ୍‌ଏସ୍ ଜମା ୩୦ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩ ବଜେଟରେ ବରିଷ୍ଠ ନାଗରିକମାନଙ୍କୁ ଅଧିକ ସୁବିଧା ଦେଇଛନ୍ତି । ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (ଏସ୍‌ସିଏସ୍‌ଏସ୍‌)ର ପରିମାଣକୁ ୧୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏଣିକି ଏହି ଯୋଜନାରେ ବରିଷ୍ଠ ନାଗରିକମାନେ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଏହି ଯୋଜନାରେ ସୁଧ ପରିମାଣ ୭.୪୦ ପ୍ରତିଶତ ରହିଛି; ଯାହାକି ବ୍ୟାଙ୍କମାନେ ସାଧାରଣ ଜମା ରାଶି (ଫିକ୍ସ ଡିପୋଜିଟ୍‌) ଉପରେ ଦେଉଥିବା ସୁଧ ପରିମାଣଠାରୁ ଅଧିକ । ଏସ୍‌ସିଏସ୍‌ଏସ୍‌ର ସୁଧ ପ୍ରତି ୩ ମାସରେ ଥରେ ଅର୍ଥାତ୍‌, ୩୧ ମାର୍ଚ୍ଚ, ୩୦ ଜୁନ୍‌, ୩୦ ସେପ୍ଟେମ୍ବର ଓ ୩୧ ଡିସେମ୍ବରରେ ମିଳିଥାଏ । ଏହି ଯୋଜନାରେ ଜମାର ଅବଧି ୫ ବର୍ଷ ଥିଲେ ମଧ୍ୟ ଜରୁରୀ ଆବଶ୍ୟକତା ବେଳେ ଅବଧି ଶେଷ ପୂର୍ବରୁ (ପ୍ରିମାଚ୍ୟୁର ୱିଡ୍ରାଲ) ଟଙ୍କା ଉଠାଯାଇ ପାରିବ । କିନ୍ତୁ ଏହି ଆକାଉଣ୍ଟରେ ଟଙ୍କା ଜମା କରିବାର ଏକ ବର୍ଷ ପୂର୍ବରୁ ଟଙ୍କା ଉଠାଯାଇ ପାରିବ ନାହିଁ ।

ଆକାଉଣ୍ଟ ଖୋଲିବାର ୧ରୁ ୨ ବର୍ଷ ମଧ୍ୟରେ ଟଙ୍କା ଉଠାଇଲେ ୧.୫% ଏବଂ ୨ ବର୍ଷ ପରେ ଟଙ୍କା ଉଠାଇଲେ ୧% ଚାର୍ଜ ଦେବାକୁ ହେବ । ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ନାଗରିକମାନେ ଏହି ଯୋଜନାରେ ଯେକୌଣସି ବ୍ୟାଙ୍କ ବା ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲି ଟଙ୍କା ଜମା ରଖିପାରିବେ । ଏପରିକି ଯେଉଁ କର୍ମଚାରୀଙ୍କ ବୟସ ୫୫ ବର୍ଷରୁ ଅଧିକ ୬୦ରୁ କମ୍ ହୋଇଥିବା ଏବଂ ସେ ସୁପରଆନୁଏସନରେ ଅବସର ଗ୍ରହଣ କରିଥିବେ ସେମାନେ ମଧ୍ୟ ଏହି ଯୋଜନାରେ ଟଙ୍କା ଜମା ରଖିପାରିବେ । ଏହି ଜମାର ମାଚ୍ୟୁରିଟ୍ ଅବଧି ୫ ବର୍ଷ ଥିଲେ ମଧ୍ୟ ଜଣେ ଚାହିଁଲେ ଆଉ ୩ ବର୍ଷ ପାଇଁ ଜମା ରଖିପାରିବେ । ତେବେ ଜମାରାଶି ମାଚ୍ୟୁରିଟ୍ କରିବାର ଏକ ବର୍ଷ ପୂର୍ବରୁ ଜମାକାରୀଙ୍କୁ ସ୍ୱତନ୍ତ୍ର ଫର୍ମରେ ଆବେଦନ କରିବାକୁ ହେବ । ଜଣେ ଜମାକାରୀ କେବଳ ଗୋଟିଏ ଆକାଉଣ୍ଟ ଖୋଲିପାରିବେ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ଆକାରରେ ଜମା କରିପାରିବେ ଏବଂ ଅଧିକ ଜମା ପାଇଁ ଚେକ୍ ଦେବାକୁ ହେବ । ଚେକ୍ ରିୟଲାଇଜେସନ ତାରିଖରୁ ଜମାକାରୀଙ୍କ ସୁଧ ଗଣନା ହେବ ।