ମୁମ୍ବାଇ: ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କର ନିର୍ବନ୍ଧ ଉତ୍ସବ ଆଜି ଅମ୍ବାନୀ ବାସଭବନରେ ପରିବାରବର୍ଗ, ବନ୍ଧୁବାନ୍ଧବ ଏବଂ ପାରମ୍ପରିକ ବିଧି ବିଧାନ ମଧ୍ୟରେ ଆନୁଷ୍ଠାନିକ ଭାବରେ ସମ୍ପନ୍ନ ହୋଇଛି । ପିଢ଼ି ପରେ ପିଢ଼ି ଗୁଜରାଟୀ ହିନ୍ଦୁ ପରିବାରମାନଙ୍କରେ ଚଳି ଆସୁଥିବା ପରମ୍ପରାଗୁଡ଼ିକ ଯଥା ଗୋଲ ଧନ ଏବଂ ଚୁନ୍ରୀ ବିଧି ପରିବାରର ମନ୍ଦିରରେ ତଥା ଉତ୍ସବ ସ୍ଥଳଗୁଡ଼ିକରେ ବିପୁଳ ଉତ୍ସାହର ସହିତ ପାଳନ କରାଯାଇଥିଲା । ଏହି ଅବସରରେ ଉଭୟ ପକ୍ଷର ପରିବାର ସେମାନଙ୍କ ମଧ୍ୟରେ ଉପହାର ଆଦାନ ପ୍ରଦାନ କରିବା ସହିତ ପରସ୍ପର ଆକର୍ଷଣୀୟ ମୁହୁର୍ତ୍ତକୁ ଉପଭୋଗ କରିଥିଲେ । ଅନନ୍ତଙ୍କ ମା’ ଶ୍ରୀମତୀ ନୀତା ଅମ୍ବାନୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପରିବାର, ବନ୍ଧୁବର୍ଗ ତଥା ଅତିଥିମାନଙ୍କୁ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ କରେଇବା ସହ ଭୁରିଭୋଜନରେ ଆପ୍ୟାୟିତ କରିଥିଲେ ।
ଗୋଲ ଧନ କହିଲେ ଗୁଡ଼ ଏବଂ ଧନିଆକୁ ବୁଝାଇ ଥାଏ । ଏହା ହେଉଛି ଗୁଜରାଟୀ ପରମ୍ପରାରେ ବିବାହ ପୂର୍ବରୁ ପାଳନ କରାଯାଉଥିବା ଏକ ପ୍ରଥା ଯାହା ବିବାହ ବନ୍ଧନରେ ଆବଦ୍ଧ ହେବା ସହିତ ସମାନ । ଏହି ଜିନିଷଗୁଡ଼ିକ ବରଘରେ ବଣ୍ଟନ କରାଯାଏ, ଯେଉଁଠାରେ ନିର୍ବନ୍ଧ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥାଏ । କନ୍ୟାଘର ପରିବାର ଉପହାର ଏବଂ ମିଠା ସହିତ ବର ଘରକୁ ଆସନ୍ତି ଏବଂ ପରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତିଙ୍କ ମଧ୍ୟରେ ମୁଦି ଦେବାନେବା ହୋଇଥାଏ । ବର ଏବଂ କନ୍ୟା ପରସ୍ପରଙ୍କୁ ମୁଦି ପିନ୍ଧାଇ ସାରିବା ପରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ଦମ୍ପତି ସେମାନଙ୍କର ଗୁରୁଜନ ଓ ବୟସ୍କ ବ୍ୟକ୍ତିମାନଙ୍କଠାରୁ ଆଶୀର୍ବାଦ ଲୋଡ଼ନ୍ତି ।
ସନ୍ଧ୍ୟା ସମୟର ଉତ୍ସବ ଅନନ୍ତଙ୍କ ଭଉଣୀ ଇଶାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା । ଅମ୍ବାନୀ ପରିବାରର ସଦସ୍ୟମାନେ ମର୍ଚ୍ଚାଣ୍ଟଙ୍କ ବାସଭବନକୁ ଯାଇ ରାଧିକା ଏବଂ ତାଙ୍କ ପରିବାରବର୍ଗଙ୍କୁ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ଆଳତି ଏବଂ ମନ୍ତ୍ର ପାଠ ସହିତ ଅମ୍ବାନୀ ପରିବାର ମର୍ଚ୍ଚାଣ୍ଟ ପରିବାରବର୍ଗଙ୍କୁ ସେମାନଙ୍କ ବାସଭବନରେ ଆଦରର ସହିତ ସ୍ୱାଗତ କରିଥିଲେ।
ଅନନ୍ତ ଏବଂ ରାଧିକାଙ୍କ ସହିତ ଉଭୟଙ୍କ ପରିବାର ସେମାନଙ୍କର ସୁଖୀ ଦାମ୍ପତ୍ୟ ଜୀବନ ନିମନ୍ତେ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ଲାଭ କରିବା ସହିତ ସନ୍ଧ୍ୟାର ଉତ୍ସବ ପାଳନ କରିବାକୁ ମନ୍ଦିରକୁ ଯାଇଥିଲେ । ତା’ପରେ ସେଠାରୁ ଉଭୟ ପକ୍ଷ ସମାରୋହ ସ୍ଥାନକୁ ଯାଇ ଗଣେଶ ପୂଜା ସହିତ ଆଗାମୀ ସମୟର ବିବାହ ନିମନ୍ତେ ପାରମ୍ପରିକ ଲଗନ ପତ୍ରିକା ବା ନିମନ୍ତ୍ରଣ ପତ୍ର ପଢ଼ିବା କାର୍ଯ୍ୟ ସମାପନ କରିବା ସହିତ ଉତ୍ସବ ଆରମ୍ଭ କରିଥିଲେ । ଏହାପରେ ଅନନ୍ତ ଏବଂ ରାଧିକାଙ୍କ ପରିବାର ମଧ୍ୟରେ ଗୋଲ ଧନ ଏବଂ ଚୁନ୍ରୀ ବିଧି ସହିତ ଆଶୀର୍ବାଦ ଏବଂ ଉପହାର ବିନିମୟ ହୋଇଥିଲା । ଶ୍ରୀମତୀ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅମ୍ବାନୀ ପରିବାରର ସଦସ୍ୟଙ୍କ ଦ୍ୱାରା ଏକ ଚିତାକର୍ଷକ ନୃତ୍ୟ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା ଯାହାକୁ ବିପୁଳ କରତାଳି ଦ୍ୱାରା ଉତ୍ସାହିତ କରାଯାଇଥିଲା ଏବଂ ଏହା ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ପାରିବାରିକ ବନ୍ଧନ ପ୍ରତିଷ୍ଠା କରିଥିଲା ।
ଏହା ପରେ ଭଉଣୀ ଇଶା ମୁଦିି ବିନିମୟ ସମାରୋହ ଆରମ୍ଭ କରିବାକୁ ଘୋଷଣା କରିଥିଲେ ଏବଂ ଅନନ୍ତ ଓ ରାଧିକା ପରିବାରବର୍ଗ ଏବଂ ବନ୍ଧୁମାନଙ୍କ ସମ୍ମୁଖରେ ପରସ୍ପରଙ୍କ ସହିତ ମୁଦି ବିନିମୟ କରିଥିଲେ ତଥା ସେମାନଙ୍କ ଆଗାମୀ ମିଳନ ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ।
ଅନନ୍ତ ଏବଂ ରାଧିକା କିଛି ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି ଏବଂ ଆଜିର ନିର୍ବନ୍ଧ ସମାରୋହ ସେମାନଙ୍କୁ ଆଗାମୀ ସମୟରେ ସେମାନଙ୍କର ବିବାହ ପୂର୍ବରୁ ସେମାନଙ୍କୁ ଆହୁରି ନିକଟତର କରାଇଛି । ଉଭୟ ପରିବାର ରାଧିକା ଏବଂ ଅନନ୍ତଙ୍କ ପାଇଁ ସମସ୍ତଙ୍କର ଆଶୀର୍ବାଦ ଏବଂ ଶୁଭେଚ୍ଛା ଲୋଡ଼ିଛନ୍ତି ।
ନୀତା ଏବଂ ମୁକେଶ ଅମ୍ବାନୀଙ୍କ ପୁତ୍ର ଅନନ୍ତ ଯୁକ୍ତରାଷ୍ଟ୍ର ଆମେରିକାର ବ୍ରାଉନ ୟୁନିଭର୍ସିଟିରୁ ଅଧ୍ୟୟନ ସମାପ୍ତ କରିଛନ୍ତି ଏବଂ ତା’ ପରଠାରୁ ଜିଓ ପ୍ଲାଟଫର୍ମ ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର ବୋର୍ଡରେ ସଦସ୍ୟ ଭାବରେ ବିଭିନ୍ନ କ୍ଷମତାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରୁଛନ୍ତି । ସେ ବର୍ତ୍ତମାନ ଆରଆଇଏଲର ଶକ୍ତି ବ୍ୟବସାୟର ନେତୃତ୍ୱ ନେଉଛନ୍ତି । ଶୈଳ ଏବଂ ବୀରେନ୍ ମର୍ଚ୍ଚାଣ୍ଟଙ୍କ କନ୍ୟା ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଜଣେ ସ୍ନାତକ ଏବଂ ବର୍ତ୍ତମାନ ଏନକୋର ସ୍ୱାସ୍ଥ୍ୟସେବା ବୋର୍ଡରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତିି ।
ସଂକ୍ଷେପରେ ରାଧିକା-
ବ୍ୟବସାୟୀ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ଭାବିପତ୍ନୀ ରାଧିକା ମର୍ଚ୍ଚାଣ୍ଟକୁ ନେଇ ଏବେ ସବୁଠି ଚର୍ଚ୍ଚା । ୧୯୯୪ ମସିହା ଡିସେମ୍ବର ୧୮ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା ରାଧିକା ଏକାଧାରରେ ଜଣେ ବ୍ୟବସାୟୀ, ନୃତ୍ୟଶିଳ୍ପୀ ଓ ଗଣମାଧ୍ୟମ ବ୍ୟକ୍ତିତ୍ୱ । କିନ୍ତୁ ଅନନ୍ତଙ୍କ ସହ ରାଧିକାଙ୍କ ନିର୍ବନ୍ଧ ହେବା ପରେ ସେ ଏବେ ଘରେ ଘରେ ପରିଚିତ । ୨୦୧୯ରେ ଏକ ଘରୋଇ ସମାରୋହ ମଧ୍ୟରେ ଅନନ୍ତ ଓ ରାଧିକାଙ୍କ ନିର୍ବନ୍ଧ ହୋଇଥିବା ନେଇ ସୂଚନା ମିଳିଛି ।
ଏନକୋର୍ ହେଲ୍ଥକେୟାରର ସିଇଓ ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟ ମୁମ୍ବାଇର କାଥେଡ୍ରାଲ ଏବଂ ଜୋନ୍ କନ୍ନନ୍ ସ୍କୁଲ ଏବଂ ଇକୋଲ ମୋଣ୍ଡିଏଲ ୱର୍ଲ୍ଡ ସ୍କୁଲରୁ ପଢ଼ିବା ପରେ ନ୍ୟୁୟର୍କ ୟୁନିଭର୍ସିଟିରେ ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ଗ୍ରାଜୁଏସନ୍ କରିଥିଲେ । ୨୦୧୭ରେ ଗ୍ରାଜୁଏସନ୍ ସାରି ଭାରତ ଫେରିବା ପରେ ରାଧିକା ଇସପ୍ରାଭା ଟିମ୍ରେ ସେଲ୍ସ ଏକ୍ସଜିକ୍ୟୁଟିଭ ଭାବେ ଯୋଗ ଦେଇଥିଲେ । ଆଉ ଏବେ ପିତାଙ୍କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ଏନକୋର୍ ହେଲ୍ଥକେୟାରର ନିର୍ଦ୍ଦେଶିକା ଅଛନ୍ତି । ବ୍ୟବସାୟ ବ୍ୟତୀତ ରାଧିକାଙ୍କର ବହି ପଢ଼ିବା, ପହଁରା ଓ ଟ୍ରେକିଂରେ ରୁଚି ରହିଛି ।
ସଂକ୍ଷେପରେ ଅନନ୍ତ-
ରିଲାଏନ୍ସର ଶକ୍ତି ବିଭାଗର ଦାୟିତ୍ୱ ନିର୍ବାହ କରୁଥିବା ଅନନ୍ତ ଅମ୍ବାନୀ ୧୯୯୫ ମସିହା ଏପ୍ରିଲ ୧୦ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ପଢ଼ିବା ପରେ ଅନନ୍ତ ରୋଡ୍ ଆଇଲ୍ୟାଣ୍ଡର ବ୍ରାଉନ ୟୁନିଭର୍ସିଟିରେ ଗ୍ରାଜୁଏସନ୍ କରିଥିଲେ । ବ୍ୟବସାୟ ବ୍ୟତୀତ ଅନନ୍ତ ଆଇପିଏଲରେ ତାଙ୍କ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥାନ୍ତି । ଜାମନଗର କ୍ୟାମ୍ପସରେ ଥିବା ତାଙ୍କ କମ୍ପାନୀରେ ଅନନ୍ତ ଅଧିକ ସମୟ ଅତିବାହିତ କରିଥାନ୍ତି । ଏଥିସହିତ ମା’ ନୀତା ଅମ୍ବାନୀଙ୍କ ସହ ମଧ୍ୟ ସାମାଜିକ କାର୍ଯ୍ୟରେ ଯୋଗ ଦିଅନ୍ତି ।
୨୦୧୯ ମାର୍ଚ୍ଚରେ ଅନନ୍ତ ଅମ୍ବାନୀ ବଦ୍ରିନାଥ ଓ କେଦାରନାଥ ମନ୍ଦିରର କମିଟି ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଅନନ୍ତଙ୍କୁ ଦେଖିବାକୁ ମିଳିଥିଲା । ମୁଁ ମୋଦୀଙ୍କୁ ଶୁଣିବା ସହ ଓ ଦେଶକୁ ସହଯୋଗ କରିବା ପାଇଁ ଏଠାକୁ ଆସିଛି ବୋଲି ଅନନ୍ତ କହିଥିଲେ ।
ଅନନ୍ତ ଅମ୍ବାନୀ ୧୮ ମାସରେ ୧୦୮ କେଜି ଓଜନ ହ୍ରାସ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜୁନିୟର ଅମ୍ବାନୀଙ୍କଠାରେ କ୍ରୋନିକ ଆଜ୍ମା ଥିଲା । ଏହାର ଚିକିତ୍ସା ସମୟରେ ତାଙ୍କର ମାତ୍ରାଧିକ ଓଜନ ବଢ଼ିଥିଲା । ଅନନ୍ତ ଓ ରାଧିକା ବାଲ୍ୟବନ୍ଧୁ ଭାବରେ ପରସ୍ପରକୁ ଜାଣିଥିଲେ ବି, ପରେ ସେମାନଙ୍କର ଏକତ୍ର ଫଟୋ ବିଭିନ୍ନ ସୋସିଆଲ ମିଡିଆ ଭାଇରାଲ ହେବାପରେ ଗଣମାଧ୍ୟମ ସଂସ୍ଥାରେ ସେମାନଙ୍କ ପ୍ରେମ ବିଷୟରେ ଚର୍ଚ୍ଚା ହୋଇଥିଲା ।