ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ବିସ୍ଫୋରଣ: ବିସ୍ଫୋରଣ ପଛରେ ପାକିସ୍ତାନର ଲଖବୀର ସିଂ

ହାଇଦ୍ରାବାଦ,ଏଜେନ୍ସି: ବହୁଚର୍ଚ୍ଚିତ ପଞ୍ଜାବ ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ବିସ୍ଫୋରଣ ମାମଲାରେ ଆଜି ଚାର୍ଜସିଟ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ । ଏହି ଆକ୍ରମଣ ପାକିସ୍ତାନରୁ ସଞ୍ଚାଳିତ ତଥା ନିଷେଧ ଘୋଷଣା ହୋଇଥିବା ଶିଖ ୟୁଥ ଫେଡରେସନର ଆତଙ୍କବାଦୀ ଲଖବୀର ସିଂ ରୋଡେର ଷଡଯନ୍ତ୍ରରେ ହୋଇଥିବା ଚାର୍ଜସିଟରେ ତଦନ୍ତକାରୀ ସଂସ୍ଥ ଦର୍ଶାଇଛି । ଶିଖ ୟୁଥ ଫେଡେରେସନ ଓ ଖଲିସ୍ତାନ ଲିବରେସନ ଫୋର୍ସ ମିଳିତ ଭାବେ ଏହି ଆକ୍ରମଣକୁ ରୂପ ଦେଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବା ଏନଆଇଏ କହିଛି ।

୨୦୨୧ ମସିହା ଡିସେମ୍ବର ୩୦ ତାରିଖରେ ଲୁଧିଆନା କୋର୍ଟ କମ୍ପ୍ଲେକ୍ସ ପରିସରରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ 6ଜଣ ଗୁରୁତର ହୋଇଥିଲେ । ସେତେବେଳେ ଏହା ଏକ ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ପ୍ରଦେଶ ପୋଲିସ ପରିବର୍ତ୍ତେ ଜାତୀୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ପରେ ସଂସ୍ଥା ତାର ଚାର୍ଜସିଟରେ ଏକାଧିକ ପ୍ରମାଣ ଉଲ୍ଲେଖ କରିଛି । ଆତଙ୍କବାଦୀ ଲକବୀର ସିଂ ରୋଡେ ଏହି ଆକ୍ରମଣ ପାଇଁ ପାକିସ୍ତାନରୁ ସୀମାପାର କରାଇ ଭାରତକୁ ବିସ୍ଫୋରକ ସାମଗ୍ରୀ ପଠାଇଥିଲା । ଏଥପାଇଁ ସେ କିଛି ଭାରତୀୟ ଆତଙ୍କବାଦୀଙ୍କ ସହଯୋଗ ମଧ୍ୟ ନେଇଥିଲା ।

ଜୁଲଫିକର ଓରଫ ପେହଲୱାନ ନାମକ ଜଣେ ଆତଙ୍କୀର ସହଯୋଗରେ ପାକିସ୍ତାନ ସୀମା ଅତିକ୍ରମ କରି ଏହି ବିସ୍ଫୋରକ ସାମଗ୍ରୀ ପଞ୍ଜାବ ସୀମାରେ ପହଞ୍ଚିଥିଲା । ହରପ୍ରୀତ ସିଂ ଓରଫ ହାପି ମାଲେସିଆ, ସୁରମୁଖ ସିଂ ଓରଫ ସାମୁ । ଦିଲବାଗ ସିଂ ଏବଂ ରାଜନପ୍ରୀତ ସିଂ କୋର୍ଟ ପରିସରରେ ଏହି ବିସ୍ଫୋରଣକୁ ରୂପ ଦେଇଥିଲେ । ସେହିପରି ଏହି ବମ୍‌କୁ କୋର୍ଟ ପରିସରରେ ଖଞ୍ଜିବା ବେଳେ ବିସ୍ଫୋରଣ ଘଟି ଆତଙ୍କାବାଦୀ ଗଗନଦୀପ ସିଂର ମୃତ୍ୟୁ ହୋଇଥିଲା ।

ଏହି ଘଟଣାର ତଦନ୍ତ ଜାରି ରଖିଥିବା ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଗତକାଲି(ଶନିବାର) ପଞ୍ଜାବର ମୋହାଲି ସ୍ବତନ୍ତ୍ର ଏନଆଇଏ କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ଲଖବୀର ସିଂ ରୋଡେ ସମେତ ମୋଟ 5ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି ସଂସ୍ଥା । ଚାର୍ଜସିଟରେ ଗଗନଦୀପ ସିଂ, ସୁରମୁଖ ସିଂ, ଦିଲବାଗ ସିଂ, ରାଜନପ୍ରୀତ ସିଂ ଏବଂ ଜୁଲଫିକରକୁ ଅଭିଯୁକ୍ତ ଦର୍ଶାଯାଇଛି ।