ଜୟପୁର,ଏଜେନ୍ସି: ସକାଳୁ ସକାଳୁ ଟ୍ରେନ ଦୁର୍ଘଟଣା । ରାଜସ୍ଥାନରେ ଟ୍ରାକରୁ ଖସିଲା ଟ୍ରେନ । ସୂର୍ଯ୍ୟନଗରୀ ଏକ୍ସପ୍ରେସ ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି । ରାଜସ୍ଥାନର ପାଲି ନିକଟରେ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି ।
ଖବରଅନୁସାରେ, ଟ୍ରେନଟି ବାନ୍ଦ୍ରାରୁ ଯୋଧପୁର ଅଭିମୁଖେ ଯାଉଥିଲା । ଆଜି ଭୋର ୩.୨୭ ମିନିଟରେ ଏହି ଦୁର୍ଘଟଣା ହୋଇଛି । ରାଜକିଆବା ଏବଂ ବୋମାଦ୍ରା ଭିତରେ ଏହି ଟ୍ରେନ ଦୁର୍ଘଟଣା ହୋଇଛି । ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି ।
ଉତ୍ତର ପଶ୍ଚିମ ରେଳପଥର ସିପିଆର୍ଓ କହିଛନ୍ତି, ” ଟ୍ରେନ ଦୁର୍ଘଟଣାରେ କୌଣସି କ୍ଷତିକ୍ଷତିର ସୂଚନା ମିଳିପାରି ନାହିଁ । ଉଚ୍ଛପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି । ଏହି ଦୁର୍ଘଟଣାରେ ୧୧ଟି ବଗି ପ୍ରଭାବିତ ହୋଇଛି । ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚେଇବା ପାଇଁ ବସର ବ୍ୟବସ୍ଥା କରାଯାଉଛି । ଯାତ୍ରୀ ଏବଂ ସେମାନଙ୍କ ପରିବାର ଲୋକଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଯୋଧପୁର ପାଇଁ ୪ଟି ହେଲ୍ପଲାଇନ ଲମ୍ବର ଜାରି ହୋଇଛି । ୦୨୯୧୨୬୫୪୯୭୯, ୦୨୯୧୨୬୫୪୯୯୩, ୦୨୯୧୨୬୨୪୧୨୫ ଏବଂ ୦୨୯୧୨୪୩୧୬୪୬ ଏହି ନମ୍ବରରେ ଯୋଗାଯୋଗ କରିପାରିବେ । ଅନ୍ୟପଟେ ପାଲି ମାରଓ୍ବାର ପାଇଁ ୦୨୯୩୨୨୫୦୩୨୪ରେ ଯୋଗାଯୋଗ କରିପାରିବେ । ଏହାସହ ଟ୍ରେନରେ ରହିଥିବା ଯାତ୍ରୀ ଏବଂ ସେମାନଙ୍କ ପରିବାର ଲୋକେ ଯେକୌଣସି ସୂଚନ ପାଇବାକୁ ଚାହୁଁଥିଲେ ୧୩୮ ଏବଂ ୧୦୭୨ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ।”
ଏନେଇ ଟ୍ରେନ ଭିତରେ ଥିବା ଏକ ଯାତ୍ରୀ କହିଛନ୍ତି, “ଟ୍ରେନଟି ମାରଓ୍ବାର ଷ୍ଟେସନରୁ ଛାଡିବାର ୫ ମିନିଟ ପରେ ଟ୍ରେନଟି ଥରିଉଠିଥିଲା । ଏହାର ୨ ରୁ ୩ ମିନିଟ ପରେ ଟ୍ରେନଟି ରହିଯାଇଥିଲା । ଏହାପରେ ଆମେ ବାହାରକୁ ଦେଖିଲା ବେଳକୁ ବଗି ଲାଇନଚ୍ୟୁତ ହୋଇଯାଇଛି । ଦୁର୍ଘଟଣା ଘଟିବାର ୧୫-୨୦ ମିନିଟ ଭିତରେ ଆମ୍ବୁଲାନ୍ସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ।