ହାଇଦ୍ରାବାଦ,ଏଜେନ୍ସି: କାଶ୍ମୀରର ରଜୌରୀରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ୪ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ରଜୌରୀର ଦାଙ୍ଗୀରରେ ଗତକାଲି (ରବିବାର) ସଂଧ୍ୟାରେ ଏହି ଗୁଳିକାଣ୍ଡ ଘଟିଥିଲା । ଏହାଏକ ଆତଙ୍କୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରି ନାହିଁ ।
ଏନେଇ ଜଣେ ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ରଜୌରୀର ଦାଙ୍ଗୀରରେ ପ୍ରାୟ ୫୦ ମିଟର ଦୂରତା ମଧ୍ୟରେ ୩ଟି ଘରେ ଗୁଳିକାଣ୍ଡ ହୋଇଥିଲା । ଦୁଇ ଜଣ ବ୍ୟକ୍ତି ଆସି ଗୁଳିକାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଥିଲେ । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏନେଇ ଖବରପାଇ ସ୍ଥାନୀୟ ପୁଲିସ ଓ ସୁରକ୍ଷାବଳ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କ ଚିକିତ୍ସା ଜାରି ରହିଥିବା ଡାକ୍ତର ସୂଚନା ଦେଇଛନ୍ତି ।