ନୂଆଦିଲ୍ଲୀ,ଏଜେନ୍ସି: ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧୀ । ୨୦୨୩ରେ ପ୍ରତି ଗାଁ, ଗଳି ଓ ସହରରେ ପ୍ରେମର ଦୋକାନ ଖୋଲିବ ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି । ନବବର୍ଷ ବାର୍ତ୍ତାରେ କଂଗ୍ରେସ ନେତା ଏହି ମନ୍ତବ୍ୟ ଦେଇଛନ୍ତି । ନୂଆବର୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶର ରାଜନୀତିକୁ ନେଇ ମଧ୍ୟ ଅନେକ କଥା କହିଥିଲେ ।
ନୂଆବର୍ଷରେ ଭାରତ ଯୋଡ ଯାତ୍ରାକୁ ନେଇ ଟ୍ବିଟରରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି ରାହୁଲ ଗାନ୍ଧୀ । ଯେଉଁଥିରେ ପାଖାପାଖି ଦଶନ୍ଧି ମଧ୍ୟରେ ଦଳର ଏହି ଲମ୍ବା ଯାତ୍ରାର ଫଟୋ ରହିଛି । ଭିଡିଓକୁ ଟ୍ବିଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ” ଆଶା କରାଯାଉଛି ୨୦୨୩ରେ ପ୍ରତି ଗଳି, ପ୍ରତି ଗାଁ ଓ ସହରରେ ପ୍ରେମର ଦୋକାନ ଖୋଲିବ।” ସର୍ବପୁରାତନ ଦଳର ଏହି ଭାରତ ଯୋଡ ଯାତ୍ରା ଚଳିତ ମାସ ଶେଷ ସୁଦ୍ଧା ଜମ୍ମୁ କାଶ୍ମୀରରେ ଶେଷ ହେବ । ୨୦୨୪ ପାଇଁ ଏହା ଦଳର ସମରସଜ୍ଜା । ଦଶନ୍ଧି ମଧ୍ୟରେ ଏହା ଦଳର ସବୁଠୁ ବଡ କାର୍ଯ୍ୟକ୍ରମ ।
ପୂର୍ବରୁ ପ୍ରେମ ଓ ଘୃଣାକୁ ନେଇ ରାହୁଲ ଗାନ୍ଧୀ ଆରଏସଏସ ଓ ବିଜେପିକୁ ଟାର୍ଗେଟ କରିଥିଲେ । ୨୦୨୪ ନିର୍ବାଚନ ପାଇଁ ତାଙ୍କ ଦଳର ଅନେକ ସହକର୍ମୀ ତାଙ୍କୁ ବିରୋଧୀ ଦଳ ପ୍ରାର୍ଥୀ କରାଯିବା ନେଇ କହୁଛନ୍ତି । ରାହୁଲ ଗାନ୍ଧୀ କ୍ଷମତା ପାଇଁ ରାଜନୀତି କରନ୍ତି ନାହିଁ, ବରଂ ଦେଶର ଲୋକଙ୍କ ପାଇଁ ଯିଏ କ୍ଷମତାକୁ ଆସିବ ବୋଲି ଚାହାନ୍ତି ସେ ହେଲେ ରାହୁଲ ବୋଲି କହିଥିଲେ କଂଗ୍ରେସ ନେତା କମଲ ନାଥ ।
୨୦୧୪ ପରଠୁ ପରାଜୟ ପଥରେ ଥିବା ଦଳ ଅଣ୍ଟା ସଳଖିବାକୁ କସରତ କରୁଛି । ଜନତାଙ୍କ ମନରେ ଘର କରିବାକୁ ବିଶ୍ବାସ ଜିତିବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ୨୦୨୪ରେ କିଛି ସଫଳତା ପାଇବାକୁ ଆଶା ରଖିଛି । ଦଳର ଜାରି ଥିବା ଭାରତ ଯୋଡ ଯାତ୍ରା କିଛି ମାତ୍ରାରେ ସଫଳତା ଆଣିବ ବୋଲ ସମ୍ଭାବନା ରହିଛି ।