ଗ୍ରାମାଞ୍ଚଳର ସାଢ଼େ ୯ ଲକ୍ଷ ପରିବାରକୁ ମିଳିବ ପିଏମ୍‌ ଆବାସ, ଜିଲ୍ଲାପାଳଙ୍କ ସହ କଥା ହେଲେ ସିଏସ୍‌

ଭୁବନେଶ୍ବର,ଏଜେନ୍ସି: ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ପକ୍କା ଘର ଆବଣ୍ଟନ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳିଛି ସାଢ଼େ ୯ ଲକ୍ଷ ଘର । ଏହି ଘର ଗୁଡ଼ିକର ୱାର୍କ ଅର୍ଡର ଆସନ୍ତା ଜାନୁଆରୀ ମାସରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ସହ ଭିସି ଜରିଆରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବାକୁ ଥିବା ସାଢ଼େ ୯ ଲକ୍ଷ ଘରର କାର୍ଯ୍ୟାଦେଶ ଆସନ୍ତା ଜାନୁଆରୀ ମାସରେ ହିତାଧିକାରୀଙ୍କୁ ବଣ୍ଟନ କରିବାକୁ ସିଏସ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ଏସବୁର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୃହ ନିର୍ମାଣ ପାଇଁ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ପ୍ରତ୍ୟେକ ପଞ୍ଚାୟତରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଏହି ତାଲିକା ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ହୋଇଛି ।

ଯଦି ତାଲିକାରେ କୌଣସି ଅଯୋଗ୍ୟ ବ୍ୟକ୍ତି ସ୍ଥାନିତ ହୋଇଥିବେ ସେ ବାବଦରେ ଆପତ୍ତି ଅଭିଯୋଗ ପଞ୍ଚାୟତର ଅବା ବ୍ଲକ କାର୍ଯ୍ୟାଳୟରେ ଥିବା ଉଦ୍ଦିଷ୍ଟ ଅଭିଯୋଗ ବାକ୍ସରେ ପକାଇ ପାରିବେ । ଏହା ଛଡା ଟୋଲ ଫ୍ରି ନମ୍ବର ୧୮୦୦-୩୪୫୬-୬୭୮ ଓ ଅନଲାଇନ ମାଧ୍ୟମରେ ଅଭିଯୋଗ କରିପାରିବେ । କାର୍ଯ୍ୟାଦେଶ ପ୍ରଦାନ ପୂର୍ବରୁ ବିଡ଼ିଓମାନଙ୍କ ମାଧ୍ୟମରେ ସମ୍ପୃକ୍ତ ଘରର ଫଟୋ ଉଠାଯାଇ ଜିଓ ଟ୍ୟାଙ୍ଗିଟ୍ କରାଯିବ । ଏହି ଯାଞ୍ଚ ପ୍ରକ୍ରିୟାରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦିଆଯିବ ବୋଲି ଜଣାପଡ଼ିଛି ।