ଆଜି ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ, ଜି-୨୦ ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ,ଏଜେନ୍ସି: ଆଜିଠୁ ଇଣ୍ଡୋନେସିଆର ବାଲି ଦ୍ବୀପରେ ତିନିଦିନିଆ ୧୭ ତମ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଆଜି ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାବର୍ଷ ଜି-୨୦ ସମ୍ମିଳନୀ ଭାରତରେ ଆୟୋଜିତ ହେବ । ଏଥିରେ ଅଧ୍ୟକ୍ଷତା କରିବ ଭାରତ । ଏବେ ଏହାର ଅଧ୍ୟକ୍ଷତା କରୁଛି ଇଣ୍ଡୋନେସିଆ । ଭାରତ ବିଧିବଦ୍ଧ ଭାବେ ଇଣ୍ଡେନେସିଆଠୁ ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ । ଏହି ପ୍ରରିପେକ୍ଷୀରେ ପ୍ରଧାନମନ୍ତ୍ରୀ ବାଲି ଅଭିମୁଖେ ଯାତ୍ରା କରିବେ । ଏହା ସହିତ ୧୭ ବିଶ୍ବନେତା ଏହି ସମ୍ମିଳନୀରେ ସାମିଲ ହେବ ।

ଏହି ଜି-୨୦ ସମ୍ମିଳନୀ ଭାରତ ପାଇଁ ସ୍ବତନ୍ତ୍ର । ଶିଖର ସମ୍ମିଳନୀରେ ଭାରତ, ଚୀନ ଏବଂ ଆମୋରିକା ସମେତ ଅନ୍ୟ ଦେଶର ରାଷ୍ଟ୍ର ପ୍ରମୁଖ ସାମିଲ ହେବେ । ଏହି ସମ୍ମିଳନୀରେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଏହା ପ୍ରଭାବ ସମେତ ବୈଶ୍ବିକ ଆହ୍ବାନ ଉପରେ ବ୍ୟାପକ ବିଚାର ବିମର୍ଷ ହେବା ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ୪୫ ଘଣ୍ଟା ରହିବେ । ସେଠାରେ ପାଖାପାଖି ୨୦ଟି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଥିରେ ଜି-୨୦ ଖିଶର ସମ୍ମିଳନୀ ବି ସାମିଲ ରହିଛି। ସୁତ୍ର ଅନୁସାରେ ପିଏମ ମୋଦି ଆଜି ଇଣ୍ଡୋନେସିଆ ଅଭିମୁଖେ ବାହାରିବେ । ସେଠାରେ ପାଖାପାଖି ୧୦ ବିଶ୍ବ ନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ଇଣ୍ଡୋନେସିଆରେ ଡାୟସ୍ପୋରାରେ ଭାରତୀୟ ପ୍ରବାସୀଙ୍କୁ ଭେଟିବେ । ସେଠାରେ ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

୨୦୨୩ ବର୍ଷ ପାଇଁ ଏହି ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରିବ । ଏହି ସମ୍ମିଳନୀ ପାଇଁ ଭାରତ ପକ୍ଷରୁ ‘ବସୁଧୈବ କୁଟୁମ୍ବକମ’ ପରିକଳ୍ପନାର ସ୍ଲୋଗାନ ଦିଆଯାଇଛି । ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସମେତ ଚୀନ-ତାଇୱାନ ବିବାଦ, ଉତ୍ତର କୋରିଆ ସମସ୍ୟା ଭଳି ବିଭିନ୍ନ କାରଣକୁ ସମସ୍ୟା ରହିଛି । ଏହି ସବୁ ପ୍ରସଙ୍ଗରେ ଆଲୋଚନା ହେବ । ନିକଟରେ ନଭେମ୍ବର ୮ ତାରିଖରେ ଜି-୨୦ ସମ୍ମିଳନୀ ପାଇଁ ଲୋଗ ଓ ଥିମ ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଚଳିତ ଥରର ବିଷୟବସ୍ତୁ (ଥିମ) ରଖାଯାଇଛି ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ । ସେହିପରି ଲୋଗରେ ହିନ୍ଦୀରେ ‘ବସୁଧୈବ କୁଟମ୍ବକମ୍’ ବୋଲି ମଧ୍ୟ ଲେଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ପ୍ରତିପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିବେ। ଜି-୨୦ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଜର୍ମାନୀ ଚାନ୍ସସେଲର ଓଲାଫ ସଚୋଲଜ ଏବଂ ଅନ୍ୟ ନେତା ସାମିଲ ହେବେ ।