କୋଲକାତା,ଏଜେନ୍ସି: ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଅପମାନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଅଶୋଭନୀୟ ମନ୍ତବ୍ୟ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ । ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ମୁର୍ମୁଙ୍କ ଚେହେରାକୁ ନେଇ କଟାକ୍ଷ କରିଛନ୍ତି । ନନ୍ଦିଗ୍ରାମ ଠାରେ ଏକ ଭିଡକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି, ”ଆମେ ଚେହେରା ଆଧାରରେ କାହାକୁ ବିଚାର କରୁନାହିଁ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ?” କହି ମନ୍ତ୍ରୀ ମହାମହିମଙ୍କୁ କଟାକ୍ଷ କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦେଶର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମନ୍ତ୍ରୀଙ୍କ ଏଭଳି ଅଶୋଭନୀୟ ଟିପ୍ପଣୀକୁ ତୀବ୍ର ନିନ୍ଦା କରିଛି ପଶ୍ଚିମବଙ୍ଗ ବିଜେପି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ରଦାୟ ଅଟନ୍ତି । ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେଇ ତାଙ୍କୁ ଅପମାନ କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ । ମମତା ବାନାର୍ଜୀ ଓ ଟିଏମସି ଆଦିବାସୀ ବିରୋଧି ଅଟନ୍ତି । ସେମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ସମର୍ଥନ କରିନାହାନ୍ତି ଏବଂ ଏବେ ଏଭଳି ନିମ୍ନସ୍ତରର ମନ୍ତବ୍ୟ ଦେଇଛନ୍ତି ବୋଲି ବିଜେପି କହିଛି ।
ପୂର୍ବରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ସମ୍ବୋଧନ କରି ବିବାଦରେ ଛନ୍ଦି ହୋଇଥିଲେ । ବିଜେପି ଏହି ଘଟଣାକୁ କେନ୍ଦ୍ର କରି ସଂସଦ ଅଚଳ କରିଥିଲା । କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିଲା । ପରେ ଅଧୀର ରଞ୍ଜନ ନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ।