ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାସହୀନଙ୍କୁ ବଡ଼ ଉପହାର ଭେଟିଛନ୍ତି । ଦିଲ୍ଲୀର କାଲକାଜୀରେ ଇନ-ସୀଟୁ ସ୍ଲମ ରିହେବିଲିଟେସନ ପ୍ରୋଜେକ୍ଟ ଅନ୍ତର୍ଗତ ମୋଦୀ ୩,୦୨୪ ନବନିର୍ମିତ ଫ୍ଲାଟର ଉଦଘାଟନ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭୂମିହୀନ କ୍ୟାମ୍ପର ୫୦୦ ଲାଭାର୍ଥୀଙ୍କୁ ଚାବି ପ୍ରଦାନ କରିଛନ୍ତି । କୁଡ଼ିଆରେ ରହୁଥିବା ଲୋକଙ୍କୁ ଏକ ଉଚିତ ସୁଃଖ ସୁବିଧା ଓ ଭଲ ପରିବେଶ ପ୍ରଦାନ କରିବା ହେଉଛି ଏହି ଯୋଜନା ପଛର ଲକ୍ଷ୍ୟ ।
ଏହି ଅବସରରେ ମୋଦୀ କହିଛନ୍ତି ଯେ, ଆଜି ସହସ୍ରାଧିକ ଲାଭାର୍ଥୀଙ୍କୁ ଘର ଚାବି ମିଳୁଛି । କାଲକାଜୀ ବିକାଶ ଯୋଜନା ଅନ୍ତର୍ଗତ ୩ ହଜାର ଘର ନିର୍ମାଣ କରାଯାଇଛି । ଗତ ୭ ଦଶକରେ ଆମ ସହର ବିକାଶଠୁ ଦୂରରେ ରହିଛି। ସହରରେ ଭେଦଭାବ ଓ ଅସମାନତା ରହିଛି । ଆଜି ଦେଶ ‘ସବକା ସାଥ ସବକା ବିକାଶ’ ମନ୍ତ୍ରରେ ଚାଲୁଛି। ଆଜି ଦେଶରେ ଗରିବର ସରକାର ଅଛି ଏବଂ ଗରିବ କେନ୍ଦ୍ରବିନ୍ଦୁରେ ରହିଛି ।