ଆରମ୍ଭ ହେଲା ବହୁପ୍ରତୀକ୍ଷିତ ଭୁବନେଶ୍ବର-ଜୟପୁର ବିମାନସେବା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଜୟପୁର,ଏଜେନ୍ସି: ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ଆଜି ପୂରଣ ହୋଇଛି। ବହୁପ୍ରତୀକ୍ଷିତ ଭୁବନେଶ୍ବର-ଜୟପୁର ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ଉଦ୍‌ଘାଟନ କରିଛନ୍ତି। ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାରର ୯ ସିଟ୍ ବିଶିଷ୍ଟ ବିମାନ ବାହାରି ଜୟପୁର ବିମାନବନ୍ଦରରେ ପହଞ୍ଚିବ। ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫେରନ୍‌ସିଂ ମାଧ୍ୟମରେ ଜୟପୁର ବିମାନବନ୍ଦରରେ ପ୍ରସାରଣ କରାଯାଇଛି।

ସୂଚନାଯୋଗ୍ୟ, ଗତ ୨୦ତାରିଖ ଦିନ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦଆଯାଇଥିଲା। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଟୁଇଟ୍ କରି ୩୧ ତାରିଖରୁ ଭୁବନେଶ୍ବର–ଜୟପୁରକୁ ବିମାନ ଚଳାଚଳ କରିବାକୁ ସୂଚନା ଦିଆଯାଇଥିଲା।