ଗାନ୍ଧୀନଗର,ଏଜେନ୍ସି: ଛଟ ପୂଜାରେ ଏକ ବଡ ଅଘଟଣ । ଗୁଜୁରାଟରେ ବଡଧରଣର ଅଘଟଣ ଘଟିଛି । ଗୁଜୁରାଟରେ ବ୍ରିଟିଶ ଅମଳରୁ ଥିବା ମୋରବୀର ମାଚ୍ଚୁ ନଦୀରେ କେବୁଲ ବ୍ରିଜ ଭୁଶୁଡ଼ି ଅକାଳରେ ଅନେକଙ୍କ ଜୀବନ ଚାଲିଯାଇଛି । ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ୧୩୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ନଦୀରେ ଫଶି ରହିଛନ୍ତି । ପ୍ରାଥମିକ ଭାବେ ୭ ଜଣ ଓ ପରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ଏହି ମୃତ୍ୟୁ ସଂଖ୍ୟା ୧୩୨ରେ ପହଞ୍ଚିଥିବା ନେଇ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ବ୍ରିଜେଶ ମେର୍ଜା ସୂଚନା ଦେଇଛନ୍ତି । ମୃତକଙ୍କ ମଧ୍ୟରେ ୨୫ ଜଣ ଶିଶୁ ଥିବା ଜଣାପଡିଛି । ତେବେ ୧୭୭ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୯ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ସରକାର । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।
ପୋଲଟି ହଠାତ୍ ଭାଙ୍ଗି ପଡିବାରୁ ଶତାଧିକ ଲୋକ ନଦୀ ମଝିର ଅଥଳ ଜଳରାଶି ମଧ୍ୟକୁ ଖସି ପଡିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ନଦୀରୁ ଲୋକଙ୍କୁ ଉଦ୍ଧାର କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ମୃତ୍ୟୁ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଏବେ ମଧ୍ୟ ବହୁ ଲୋକେ ନିଖୋଜ ରହିଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଅଦ୍ୟାବଧି ଜାରି ରହିଛି । ବାୟୁସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଉଦ୍ଧାର ଅଭିଯାନ ଜୋରଦାର କରିଥିଲେ । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଷ ପଟେଲ କହିଛନ୍ତି, ‘‘ଆହତମାନେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଚିତିତ୍ସିତ ହୋଇ ଘରକୁ ଫେରିଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଛି । ନଦୀରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।’’ ସେପଟେ ଅଘଟଣ ନେଇ ସମୀକ୍ଷା ବୈଠକ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ।