ଗୁଜୁରାଟରେ ଝୁଲା ପୋଲ ଭୁଶୁଡ଼ି ୩୫ ମୃତ: ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଗୁରୁତରଙ୍କୁ ୫୦ ହଜାର ସହାୟତା ଘୋଷଣା

ଗୁଜୁରାଟ,ଏଜେନ୍ସି: ଗୁଜରାଟର ମୋର୍ବି ଜିଲ୍ଲାରେ ରବିବାର ସନ୍ଧ୍ୟାରେ ମାଚ୍ଚୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ି ଯିବାରୁ ୩୫ଜଣଙ୍କ ଜୀବନ ଯାଇଛି। ଏହି ବ୍ରିଜଟି ୫ ଦିନ ତଳେ ପୁନଃ ମରାମତି କରାଯାଇଥିଲା। ଗୁଜରାଟ ଗୃହ ମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି ଯେ, ୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ରାଷ୍ଟ୍ର ମନ୍ତ୍ରୀ ବ୍ରିଜେଶ ମିର୍ଜା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଉକ୍ତ ଝୁଲା ପୋଲରେ ସନ୍ଧ୍ୟାରେ ଅନେକ ଲୋକ ଯାତାୟାତ କରୁଥିଲେ। ହଠାତ୍‌ ବ୍ରିଜଟି ଭୁଷୁଡି ପଡ଼ିବା ଦ୍ବାରା ଅନେକ ଲୋକ ନଦୀ ଭିତରକୁ ଖସି ପଡ଼ିଥିଲେ। ଏହା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏଥିସହିତ ଗୁଜୁରାଟ ସରକାର ମୃତ ବ୍ୟକ୍ତିଙ୍କୁ ୪ ଲକ୍ଷ ଟଙ୍କା ଓ ଗୁରୁତର ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଉକ୍ତ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହିତ ସେଠାକାର ମୁଖ୍ୟମନ୍ତ୍ରୀ ଭୁପିନ୍ଦର ପଟେଲଙ୍କୁ ପରିସ୍ଥିତି ଉପରେ ନଜର ରଖିବା ସହିତ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।