ନୂଆଦିଲ୍ଲୀ,ଏଜେନ୍ସି: କତାରର ଶାସକ ତମିମ ବିନ ହମାଦ ଅଲ ଥାନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି (ଶନିବାର) କତାରର ଶାସକ ତମିମ ବିନ ହମାଦ ଅଲ ଥାନିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ତେବେ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ବେଳେ ଦୀପାବଳିର ଶୁଭେଚ୍ଛା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଥାନିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ସେହିପରି ଚଳିତ ନଭେମ୍ବରରେ କତାରରେ ଫୁଟବଲ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଥାନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୨୩ରେ ଉଭୟ ଭାରତ ଓ କତାର କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି କରିବାକୁ ଯାଉଛନ୍ତି । ତେବେ ଉଭୟ ଦେଶ ମିଳିତ ଭାବେ ଏହାକୁ ପାଳନ କରିବାକୁ ଯାଉଥିବା ସମ୍ପର୍କରେ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।