ସରକାରୀ ମେଡିକାଲରେ ଦଲାଲଙ୍କ ଉପରେ ରହିବ କଡା ନଜର

ଭୁବନେଶ୍ବର,ଏନ୍ଏନ୍ଏସ୍: ରୋଗୀଙ୍କୁ ସରକାରୀ ହସ୍ପିଟାଲରୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରୁଥିବା ଦଲାଲଙ୍କ ଉପରେ ରହିବ କଡା ନଜର । ଏନେଇ ସମସ୍ତ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲର ନିର୍ଦ୍ଦେଶକ ଏବଂ ସମସ୍ତ ସିଡିଏମଓଙ୍କୁ ଚିଠି କରିଛି ସ୍ବାସ୍ଥ୍ୟ ବିଭାଗ । ଚିଠିରେ ଉଲ୍ଲେଖ ରହିଛି ଯେ, ସରକାରୀ ଡାକ୍ତରଖାନାଗୁଡ଼ିକର ଓପିଡି ସମୟରେ ଘରୋଇ କ୍ଲିନିକ୍ ଏବଂ ଡାକ୍ତରଖାନାକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରିବାରେ ଲାଗିଥିବା ଦଲାଲମାନଙ୍କ ଉପରେ କଡା ନଜର ରଖିବା ସହ ଆବଶ୍ୟକ କଟକଣା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଦଲାଲମାନେ ମାଗଣା ଚିକିତ୍ସାର ପ୍ରଲୋଭନ ଦେଖାଇ ରୋଗୀ ପରିବାରଙ୍କ ଠାରୁ ଟଙ୍କା ମାଗିଥାନ୍ତି । ଏହାସହିତ ସରକାରୀ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ସୁବିଧା ଉପଲବ୍ଧ ନାହିଁ ବୋଲି ବିଭ୍ରାନ୍ତ କରାଇଥାନ୍ତି । ଏହିପରି ଭାବେ ଘରୋଇ କ୍ଲିନିକ କିମ୍ବା ହସ୍ପିଟାଲକୁ ଯିବାକୁ ରୋଗୀମାନଙ୍କୁ ପ୍ରବର୍ତ୍ତାଉ ଥିବା ଅଭିଯୋଗ ନଜରକୁ ଆସିଛି । ଯଦି ସରକାରୀ ଡାକ୍ତରଖାନା ପରିସରରେ କୌଣସି ଏଭଳି କାର୍ଯ୍ୟକଳାପ ନଜରକୁ ଆସେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବା ସହ ସ୍ଥାନୀୟ ପୋଲିସ ଷ୍ଟେସନର ସହାୟତା ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ଵାରା ଦଲାଲଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯାଇପାରିବ ।

ଏହାସହ ଯଦି ସରକାରୀ ଡାକ୍ତରଖାନାର କୌଣସି ଅଧ୍ୟାପକ, ଚିକିତ୍ସା କରୁଥିବା ଡାକ୍ତର, ପାରାମେଡିକାଲ ଏବଂ ଅନ୍ୟ କର୍ମଚାରୀମାନେ ଏହି ଦଲାଲମାନଙ୍କ ସହିତ ମିଳିତ ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳେ, ତେବେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏହାସହ ଡାକ୍ତରଖାନାର ପ୍ରବେଶ ପଥରେ ଓଡିଆ ଏବଂ ଇଂରାଜୀ ଭାଷାରେ ସଠିକ୍ ସାଇନବୋର୍ଡ ରଖିବା ଆବଶ୍ୟକ । ଓପିଡି ନିକଟରେ ଓଡିଆ ଏବଂ ଇଂରାଜୀରେ ଡାକ୍ତରଙ୍କ ନାମ ସମେତ ଚିକିତ୍ସା ବିଭାଗର ପ୍ରତ୍ୟେକ ତଥ୍ୟ ଓପିଡି ସାମ୍ନାରେ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।