ଭୁବନେଶ୍ବରରେ ରୋଜଗାର ମେଳା: ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର,ଏନ୍ଏନ୍ଏସ୍: ନିଯୁକ୍ତି ମିସନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ଏଥିରେ ଡାକ ବିଭାଗର ସର୍ବାଧିକ ୮୯, ଭବନେଶ୍ଵର ଆଇଆଇଟିରେ ୫୫, ଇଏସଆଇସିରେ ୨୭, ଏସଏଲବିସିରୁ ୨୧ ଜଣ ଏମିତି ମୋଟ ଏଗାରଟି ବିଭାଗର ମୋଟ ୨୩୯ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି।

କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ” ଆଜାଦି କା ଅମୃତ ମହୋତ୍ସବ ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ” ରୋଜଗାର ମିସନ ” ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ପ୍ରାରମ୍ଭ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଭୁବନେଶ୍ବର ଓ କଟକରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି।