ଭୁବନେଶ୍ବର,ଏନ୍ଏନ୍ଏସ୍: ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବିଭାଗ ଗୁଡ଼ିକରେ ପଦବୀ ଖାଲିଥିଲେ ମଧ୍ୟ କାହିଁକି ଯୁବପିଢିଙ୍କୁ ମୂଳରୁ ସ୍ଥାୟୀ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ କେତେ ପଦବୀ ଖାଲି ପଡିଛି, କେତେ ନିଯୁକ୍ତି ଦିଆଯିବ ସେ ନେଇ ସରକାର ଖୁବଶୀଘ୍ର ଶ୍ବେତପତ୍ର ପ୍ରକାଶ କରନ୍ତୁ ବୋଲି ସେ ଦାବି କରିଛନ୍ତି ।
ସରକାର ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଥିବାବେଳେ, ପରୋକ୍ଷରେ ସମାଲୋଚନା ମଧ୍ୟ କରିଛନ୍ତି । ରାଜ୍ୟରେ ଅନେକ ବିଭାଗରେ ପଦବୀ ଖାଲି ପଡ଼ିଛି । ତେବେ ସରକାର ପଦବୀ ଖାଲି ପଡ଼ିଥିବା ସମୟରେ ଯାହାକୁ ନିଯୁକ୍ତି ଦେଉଛନ୍ତି ସେମାନଙ୍କୁ ମୂଳରୁ ସ୍ଥାୟୀ ନିଯୁକ୍ତି ଦେବା ଉଚିତ୍ । ମାତ୍ର ପ୍ରଥମେ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ପରେ ସେମାନଙ୍କୁ ସ୍ଥାୟୀ କରାଯାଉଛି । ଫଳରେ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିବା ସେମାନଙ୍କ ପାଇଁ କିଛି ନୂଆ କଥା ନୁହେଁ ବୋଲି ସେ କହିଛନ୍ତି ।
ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି, “ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଘୋଷଣା ଶୁଣିବା ପରେ ଉତ୍ସାହିତ ହୋଇଥିଲି । ପରେ ଗଣମାଧ୍ୟମର ଖବରରୁ ଜାଣିବା ପରେ ଏହା ଦ୍ଵନ୍ଦ୍ବ ସୃଷ୍ଟି କରିଛି । ପୂର୍ବରୁ ଏମାନଙ୍କୁ ଦିଆଯାଇଥିବା ନିଯୁକ୍ତି ପତ୍ରରେ ଲେଖା ଯାଇଥିଲା କିଏ କେତେ ଦିନ ପରେ ସ୍ଥାୟୀ ହେବେ । ତେବେ ଏହି ଘୋଷଣାରେ ନୂଆ କଣ ହେଲା ? ଆରମ୍ଭରୁ କାହିଁକି ସ୍ଥାୟୀ ଭାବେ ନିଯୁକ୍ତି ଦିଆଗଲା ନାହିଁ ? ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗକୁ ଏହି ଘୋଷଣା ପରେ ନିରାଶ ହେବାକୁ ପଡି଼ଛି । ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଥିଲେ ବି ନିଯୁକ୍ତି ଦିଆଯାଉନି ।”
ମୂଳ କଥା ହେଉଛି ନୂଆ ନିଯୁକ୍ତି ପ୍ରକ୍ରିୟା । ଖାଲି ପଡ଼ିଥିବା ପଦବୀରେ ନୂଆ ନିଯୁକ୍ତି ଦେବା ଉଚିତ । ଏଥିଲାଗି ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ କେତେ ପଦବୀ ଖାଲି ପଡିଛି କେତେ ନିଯୁକ୍ତି ଦିଆଯିବ ସେ ନେଇ ଶ୍ବେତପତ୍ର ପ୍ରକାଶ କରାଯାଉ ବୋଲି ସେ ରାଜ୍ୟବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି । ଓଡ଼ିଶାର ବିକାଶ ନହେଲେ ଦେଶର ବିକାଶ ଅସମ୍ଭବ । ଏଣୁ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ବେତପତ୍ର ପ୍ରକାଶ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।
ସୂଚନା ଥାଉ କି, ଚଳିତ ମାସ ୧୫ ତାରିଖରେ ଓଡ଼ିଶାରୁ ଚିକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ରାଜ୍ୟରେ ବିଭିନ୍ନ ବିଭାଗରେ ଥିବା ପ୍ରାୟ ୫୭ ହଜାରରୁ ଅଧିକ ଠିକା କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ନିୟମିତ କରାଯାଇଥିଲା । ଏଥିଲାଗି ସରକାର ପ୍ରାୟ ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ସରକାରଙ୍କ ଏହି ନିଷ୍ପତ୍ତି ଠିକା ନିଯୁକ୍ତି କର୍ମଚାରୀଙ୍କ ପାଇଁ ଆଗୁଆ ଦୀପାବଳି ଆଣିଦେଇଥିବା ଚର୍ଚ୍ଚା ହୋଇଥିଲା । ଏହି ନିଷ୍ପତ୍ତି ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଠିକା ନିଯୁକ୍ତି କର୍ମଚାରୀ ବାଦ୍ୟଯନ୍ତ୍ର ବଜାଇ ଖୁସି ମନାଇଥିବା ଦେଖିବାକୁ ମିଳିଥିଲା ।