ଓଡିଶା ଫେରିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ, ଏଏଆଇର ଗ୍ରୀନ ସିଗନାଲ

ଭୁବନେଶ୍ବର,ଏନ୍ଏନ୍ଏସ୍: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନକୁ କୋଲକାତାରୁ ଭୁବନେଶ୍ବର ଫେରାଇ ଆଣିବା ପାଇଁ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଛି । କୋଲକାତାରୁ ବିମାନ ଫେରାଇ ଅଣାଯିବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ଏକ ସ୍ମାରକ ପ୍ରତିଷ୍ଠା କରି ଏହାକୁ ପ୍ରଦର୍ଶନୀ ପାଇଁ ସଂରକ୍ଷିତ ରଖାଯିବ । ଏଥିପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ପ୍ରାୟ ଏକ ଏକର ପରିମିତ ସ୍ଥାନ ଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ।

ବିମାନଟି ବର୍ତ୍ତମାନ କୋଲକାତାରେ ପଡିରହିଛି । ଗତ ଦୁଇ ବର୍ଷ ଧରି ଏହି ବିମାନକୁ କୋଲକାତାରୁ ଭୁବନେଶ୍ବରକୁ ଅଣାଯିବା ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ଓଡିଶା ସରକାର । ତେବେ କୋଭିଡ ମହାମାରୀ କାରଣରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣଙ୍କ ସମସ୍ତ ସର୍ତ୍ତବଳୀ ଅନୁସାରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ତେବେ ଏହି ଐତିହାସିକ ବିମାନର ସଂରକ୍ଷଣ ପାଇଁ ବିମାନ ବନ୍ଦର ପରିସରରେ ପ୍ରାୟ ୧.୦୧ ଏକର ପରିମିତ ସ୍ଥାନ ଦେବା ପାଇଁ ପ୍ରାଧିକରଣ ସହମତି ପ୍ରକାଶ କରିଛନ୍ତି ।