ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା: ୧୫ ମୃତ ଓ ୪୦ ଆହତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ରିବାସ୍ଥିତ ନ୍ୟାସନାଲ ହାଇୱେ-୩୦ରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ଜଣ ଗୁରୁତର ହୋଇଛନ୍ତି । ସୂଚନା ପାଇ ସିହାଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଛି । ଗମ୍ଭୀର ରୂପେ ଆହତ ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସ ଯୋଗେ ତିୟୋଁଥାର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଗମ୍ଭୀର ଆହତଙ୍କୁ ରିବାସ୍ଥିିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ ଦୀପାବଳି ପାଳିବା ପାଇଁ ଘରକୁ ଯାଉଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ବସଟି ଜବଲପୁର ରାସ୍ତା ଦେଇ ରିବା ହୋଇ ଆହ୍ଲାବାଦ ଯାଉଥିଲା । କଟନିରୁ ବସରେ ଅନେକ ଲୋକ ଉଠିଥିଲେ । ଘଟଣାକ୍ରମେ ବସ ଆଗରେ ଟ୍ରଲର ଯାଉଥିଲା । ଟ୍ରଲରଟି ଏକ ଗାଡ଼ିକୁ ଧକ୍କା ଦେଇ ମଝି ରାସ୍ତାରେ ଅଟକି ଯାଇଥିଲା । ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ବସଟି ଟ୍ରଲରକୁ ଧକ୍କା ଦେଇଥିଲା । ଫଳରେ ବସର ଆଗରେ ଯେତିକି ଲୋକ ବସିଥିଲେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା ।