ରାଷ୍ଟ୍ରପତିଙ୍କ ୭ ଦିନିଆ ଫିଲିପାଇନ୍ସ ଓ ଜାପାନ ଗସ୍ତ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭ ଦିନିଆ ଫିଲିପାଇନ୍ସ ଓ ଜାପାନ ଗୁରୁବାର ଗସ୍ତ କରିଛନ୍ତି । ରାଷ୍ଟ୍ରପତିଙ୍କ ସହିତ ଭାରତର ପ୍ରଥମ ମହିଳା ତଥା ତାଙ୍କ ପତ୍ନୀ ସବିତା କୋବିନ୍ଦ ଯାତ୍ରା କରିଛନ୍ତି । ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଯାତ୍ରାର ପ୍ରଥମ ପର୍ୟ୍ୟାୟରେ ଅକ୍ଟୋବର ୧୭ ଠାରୁ ୨୧ ତାରିଖ ପର୍ୟ୍ୟନ୍ତ ଫିଲିପାଇନ୍ସ ଗସ୍ତରେ ରହିବେ । ଏହା ପରେ ଦ୍ୱିତୀୟ ପର୍ୟ୍ୟାୟରେ ଅକ୍ଟୋବର ୨୧ ତାରିଖ ଠାରୁ ୨୩ ତାରିଖ ପର୍ୟ୍ୟନ୍ତ ଜାପାନ ଗସ୍ତରେ ଯିବେ । ୧୩ ବର୍ଷ ପରେ ଭାରତର କୌଣସି ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଫିଲିପାଇନ୍ସ ଗସ୍ତ ।

ଏହି ଅବସରରେ ଫିଲିପାଇନ୍ସର ମଲାକା ପ୍ୟାଲେସ୍ ଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବାର କାର୍ୟ୍ୟକ୍ରମ ରହିଛି । ଏହା ପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଏବଂ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ମଧ୍ୟରେ ପ୍ରତିନିଧି ମଣ୍ଡଳସ୍ତରିୟ ଆଲୋଚନା ହେବ । ଏହା ପରେ କୋବିନ୍ଦ ମିରିୟମ କଲେଜର ଶାନ୍ତି ଶିକ୍ଷାକେନ୍ଦ୍ରରେ ମହାତ୍ମା ଗାନ୍ଧିଙ୍କ ଏକ ପ୍ରତିମୂର୍ତି ଉନ୍ମୋଚନ କରିବେ । ସେଠାରେ ସେ ଭାରତୀୟ ସମୁଦାୟଙ୍କ ବ୍ୟତୀତ ଫିଲିପାଇନ୍ସର କ୍ରାଂସ-ସେକ୍ସନ ସମୁଦାୟର ଲୋକଙ୍କ ସହିତ ଭାବ ବିନିମୟର କାର୍ୟ୍ୟକ୍ରମ ରହିଛି ।

ରାଷ୍ଟ୍ରପତି କୋବିନ୍ଦ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଫିଲିପାଇନ୍ସର ରାଜଧାନୀ ମନିଲା ଠାରୁ ଜାପାନ ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ଅକ୍ଟୋବର ୨୨ ଓ ୨୩ ରେ ଅନୁଷ୍ଠିତ ହେବାକୁ ଥିବା ଜାପାନର ସମ୍ରାଟ ନାରୁହିତୋଙ୍କ ରାଜ୍ୟାଭିଶେକ ଉତ୍ସବରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ରାଜ୍ୟାଭିଶେକ ସମାରୋହରେ ରାଷ୍ଟ୍ରପତି କୋବିନ୍ଦ ଅଂଶଗ୍ରହଣ କରିବା ଜାପାନ ସହିତ ଭାରତର ରହିଆସିଥିବା ସମ୍ପର୍କ କେତେ ମଜବୁତ ତାହା ଦର୍ଶାଉଛି ।

ଏହି ଗସ୍ତ କାଳରେ ଟୋକିଓ ଠାରେ ରାଷ୍ଟ୍ରପତି ଏକ ବୁଦ୍ଧ ମନ୍ଦିର ପରିଦର୍ଶନରେ ଯିବେ । ସେଠାରେ ଭାରତ ଓ ଜାପାନ ମଧ୍ୟରେ ରହିଥିବା ପାରମ୍ପରିକ ସମ୍ପର୍କକୁ ଉଜ୍ଜିବିତ ରଖିବା ଉଦ୍ଦେଶ୍ୟରେ ଏକ ବୋଧି ଦୃମର ଚାରା ରୋପଣ କରିବେ ଏବଂ ବୌଦ୍ଧ ଧର୍ମକୁ ନେଇ ଜାପାନ ଓ ଭାରତ ମଧ୍ୟରେ ରହି ଆସିଥିବା ଆଧ୍ୟାତ୍ମିକ ସମ୍ପର୍କ ବାବଦରେ ନିଜର ଅଭିଭାଷଣ ରଖିବେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଅଫିସିଆଲ୍ ଭୋଜିରେ ଆତିଥ୍ୟତା ଗ୍ରହଣ କରିବେ । ସେଠାରେ ସେ ଭାରତୀୟ ସମୁଦାୟଙ୍କୁ ଭେଟିବା ସହ ଭାବ ବିନିମୟ କରିବାର କାର୍ୟ୍ୟକ୍ରମ ରହିଛି ।