ଗାଙ୍ଗୁଲୀଙ୍କୁ ନେଇ ମୋଦୀଙ୍କ ପାଖରେ ଦୀଦୀଙ୍କ ଗୁହାରି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିସିସିଆଇ ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରେ ଖାସ୍ ଅପିଲ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ, ସୌରଭ ଗାଙ୍ଗୁଲୀଙ୍କୁ ଆଇସିସି ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯାଉ ବୋଲି ମୁଁ ମୋଦୀଙ୍କଠାରେ ଅନୁରୋଧ କରୁଛି । ଗାଙ୍ଗୁଲୀ ଜଣେ ଲୋକପ୍ରିୟ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ଏଥିରୁ ବଞ୍ଚିତ କରାଯାଉଛି । ଭାରତ ସରକାର ରାଜନୀତି ବଦଳରେ କ୍ରିକେଟ ଓ ଖେଳ ଦୃଷ୍ଟିରୁ ନିଷ୍ପତ୍ତି ନେବାକୁ ମୁଁ ଅନୁରୋଧ କରୁଛି । ଗାଙ୍ଗୁଲି କୌଣସି ରାଜନୈତିକ ଦଳର ସଦସ୍ୟ ହୋଇନଥିବାରୁ ତାଙ୍କୁ ଏହି ସୁଯୋଗ ମିଳିବା ଉଚିତ ।

ସୂଚନାଯୋଗ୍ୟ, ନିକଟରେ ସୌରଭ ଗାଙ୍ଗୁଲୀଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡରୁ ହଟାଇ ଦିଆଯାଇଛି । ସେଥିପାଇଁ ଗାଙ୍ଗଲୀଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ପଠାଇବା ଲାଗି ମୋଦୀଙ୍କଠାରେ ମମତା ଅନୁରୋଧ କରିଛନ୍ତି ।