ସଡ଼କ ଦୁର୍ଘଟଣା: ବସ୍ ଓଲଟି ୨୦ ମୃତ, ୧୫ ଆହତ

ବୋଗୋଟା,ଏଜେନ୍ସି: ଦକ୍ଷିଣ ପଶ୍ଚିମ କଲମ୍ବିଆରେ ଭୟଙ୍କର ସଡକ ଦୁର୍ଘଟଣା । କଲମ୍ବିଆର ପାନ-ଆମେରିକା ହାଇୱେ ନିକଟରେ ବସ୍ ଓଲଟି ପଡିବା ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୫ ଜଣ ଆହତ ହୋଇଛନ୍ତି । ଗତକାଲି(ଶନିବାର) ବସ୍‌ଟି କଲମ୍ବିଆର ଦକ୍ଷିଣ ପଶ୍ଚିମ କୋଣରେ ସ୍ଥିତ ତୁମାକୋ ବନ୍ଦର ସହର ଏବଂ ଉତ୍ତରପୂର୍ବରେ ୩୨୦ କିଲୋମିଟର ଦୂରରେ ଥିବା କାଲି ମଧ୍ୟରେ ଯାତ୍ରା କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବସ୍‌ଟି ଯାତ୍ରା କରୁଥିବା ସମୟରେ କୁହୁଡି ପଡିଥିଲା । ଯେଉଁ କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ ଏବଂ ଦୁର୍ଘଟଣା ଘଟିଥିଲା । ଫଳରେ ୨୦ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରିଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।