ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଅକ୍ଟୋବର ୧୫ରୁ ୧୯ ଯାଏ ପ୍ୟାରିସରେ ହେବାକୁ ଥିବା ଖାଦ୍ୟ ଉତ୍ପାଦନ ପ୍ରଦର୍ଶନୀ ସିଆଲ-୨୦୨୨ରେ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରିବେ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ୫ ପ୍ରକାର ମାଣ୍ଡିଆ ବିସ୍କୁଟ, ମିକ୍ସଚର, ଲଡୁ, କୁରମା ଓ କେକ୍ ପ୍ରଦର୍ଶନ କରିବା ପାଇଁ ମିଶନ ଶକ୍ତି ମାଆଙ୍କୁ ଚୟନ କରାଯାଇଛି। ସେହିପରି ମାଣ୍ଡିଆ ଛତୁଆ, ମାଣ୍ଡିଆ ଅଟା, ଯଅ ଅଟା ଓ ବାଜରା ଅଟା ବି ଘରକୁ ନେବାର ସୁଯୋଗ ପାଇବେ ବିଭିନ୍ନ ଦେଶର ପ୍ରତିନିଧି।
ଏଥିସହ ରାଗି ଓ ବାଜରାରୁ ପ୍ରସ୍ତୁତ ଖାଦ୍ୟ ବି ସିଟି ଅଫ୍ ଲଭର ପ୍ରମୁଖ ଆକର୍ଷଣ ପାଲଟିବ। ରାଜ୍ୟର ଏମଏସଏମଇ ବିଭାଗ ପକ୍ଷରୁ ପ୍ୟାରିସରେ ଓଡ଼ିଶା ମିଲେଟର ପ୍ରଦର୍ଶନୀ ପାଇଁ ଷ୍ଟଲର ବ୍ୟବସ୍ଥା କରାଯିବ। ବିଶ୍ବରୁ ଆସିଥିବା ୧୦୩ଟି ଦେଶର ପ୍ରତିନିଧିଙ୍କ ଭିତରୁ ଓଡ଼ିଶା ଏସଏଚଜି ମହିଳାମାନେ ମିଲେଟ ପ୍ରଦର୍ଶନ କରିବା ସହ ଲୋକଙ୍କୁ ମିଲେଟ ସଂପର୍କରେ ବୁଝାଇବେ। ଭଲ ଭାବେ ଇଂରାଜୀରେ ବୁଝାଇବା ପାଇଁ ଅନୁବାଦକଙ୍କ ବି ବ୍ୟବସ୍ଥା ହେବା ନେଇ ସୂଚନା।
ଏଥିରେ ଭୁବନେଶ୍ବରର ଶକ୍ତିମୟୀ ଫାଉଣ୍ଡେସନର ଦୁଇ ଜଣ, ସୁନ୍ଦରଗଡ଼ ଦିବ୍ୟଜ୍ୟୋତି ଏସଏଚଜି ଓ ଗଞ୍ଜାମର ମାଆ ରାଇମାଳି ଏସଏଚଜିର ଜଣେ ଲେଖାଏ ମହିଳା ଯୋଗଦେବେ।