ଭୁବନେଶ୍ବର,ଏନ୍ଏନ୍ଏସ୍: ଗତ ୨୭ ତାରିଖରେ ଶ୍ରୀ ଲିଙ୍ଗରାଜ ଥାନାରେ ଛିନତାଇ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ତଦନ୍ତ କରି ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ନିମ୍ନୋକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ଏଥିସହିତ ସେମାନଙ୍କ ନିକଟରୁ ୬ଟି ଆଣ୍ଡ୍ରିଏଡ୍ ମୋବାଇଲ ଜବତ ହୋଇଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି । ଗିରଫ ଅଭିଯୁକ୍ତମାନେ ହେଲେ ଓଲ୍ଡ ଟାଉନର ଭୋଇ ସାହିରେ ରହୁଥିବା ପାପୁନ ନାଏକ(୧୯), ବାଲିପାଟଣା ଅଞ୍ଚଳରେ ରହୁଥିବା ବିଲାଲ ଖାନ(୨୮) ଓ ଅବଦୁଲ ମଲ୍ଲିକ ଖାନ(୨୬)।
ସୂଚନାଯୋଗ୍ୟ ଯେ, ଘଟଣା ଦିନ ସନ୍ଧ୍ୟାରେ ଅଭିଯୋଗକାରିଣୀ ଜଣକ ଟ୍ୟୁସନ ସାରି ଘରକୁ ଫେରୁଥିବା ସମୟରେ ଓଲ୍ଡ ଟାଉନ ପୋଷ୍ଟ ଅଫିସ ନିକଟରେ ୨ଜଣ ଅଭିଯୁକ୍ତ ଏକ ଆପାଚି ମୋଟରସାଇକେଲରେ ଆସି ତାଙ୍କ ମୋବାଇଲ ଫୋନକୁ ଜୋରଜବରଦସ୍ତ ଛଡାଇ ନେଇଥିଲେ ଏବଂ ପରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବିକ୍ରି କରିଦେଇଥିଲେ । ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଲିଙ୍ଗରାଜ ଥାନା ପୁଲିସ ପୂର୍ବରୁ ଅନ୍ୟ ଏକ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ପଚରା ଉଚରା କରିବା ସମୟରେ ସେ ପୁଲିସକୁ ଚୋରୀ ଓ ଛିନତାଇ ସମ୍ବନ୍ଧୀୟ ବହୁ ତଥ୍ୟ ପ୍ରଦାନ କରିବା ସହିତ ଦୋଷ ସ୍ଵୀକାର କରିଥିଲେ ।
ଉକ୍ତ ତଥ୍ୟକୁ ଆଧାର କରି ଲିଙ୍ଗରାଜ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିବା ସହିତ ନିମ୍ନୋକ୍ତ ଜଣେ ମୁଖ୍ୟ ଅଭିଯୁକ୍ତ ଏବଂ ୨ଜଣ ଚୋରା ମାଲ ଗ୍ରାହୀତାଙ୍କୁ ଗିରଫ କରିଥିଲେ । ଛାନବିନ ସମୟରେ ପୁଲିସ ସେମାନଙ୍କ ନିକଟରୁ ମୋଟ ୬ଟି ଚୋରା ମୋବାଇଲ ଫୋନ ଜବତ କରିଥିଲେ । ପଚରା ଉଚରା ସମୟରେ ଅଭିଯୁକ୍ତ ମାନେ ଭୁବନେଶ୍ୱର ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଓ ଗାଡି ଚୋରୀ/ଛିନତାଇ କରିଥିବା ସ୍ଵୀକାର କରିଥିଲେ । ତଦନ୍ତ ଶେଷରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରଯାଇଛି ।