’ଶ୍ରେଣୀରେ ଶିକ୍ଷକଙ୍କୁ ମୋବାଇଲ ମନା’ ନିର୍ଦ୍ଦେଶକୁ କଡାକଡି ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀରେ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ତେବେ ଅନେକ ସମୟରେ ଶ୍ରେଣୀକକ୍ଷରେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ବିଭାଗ ପକ୍ଷରୁ ଏ ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଦ୍ୟାଳୟରେ ଶ୍ରେଣୀକୁ ଯିବା ପୂର୍ବରୁ ସମସ୍ତ ଶିକ୍ଷକମାନେ ପ୍ରଧାନଶିକ୍ଷକଙ୍କ ନିକଟରେ ସେମାନଙ୍କର ମୋବାଇଲ ଦାଖଲ କରିବେ ।

ପ୍ରଧାନଶିକ୍ଷକଙ୍କ ନିକଟରେ ଏକ ତାଲିକା ରହିବ । ଯେଉଁଥିରେ ଶିକ୍ଷକଙ୍କ ମୋବାଇଲ ଦାଖଲ କରିବାର ସମୟ ଏବଂ ଦୈନିକ କେତେ ସମୟ ସ୍କୁଲରେ ମୋବାଇଲ ବ୍ୟବହାର କରୁଛନ୍ତି ତାହାର ରିପୋର୍ଟ ଉଲ୍ଲେଖ କରାଯିବ । ତେବେ ଏହି ନିୟମ ଲାଗୁ ହେବା ପରେ ରାଜ୍ୟର ସବୁ ସ୍କୁଲରେ ଶିକ୍ଷକମାନେ ଶ୍ରେଣୀକୁ ଯିବା ପୂର୍ବରୁ ସେମାନଙ୍କର ମୋବାଇଲ ପ୍ରଧାନଶିକ୍ଷକଙ୍କ ନିକଟରେ ବାଧ୍ୟବାଧ୍ୟକତାରେ ଦାଖଲ କରୁଥିଲେ । ମାତ୍ର କରୋନା ଲାଗି ୨ ବର୍ଷ ସ୍କୁଲ ବନ୍ଦ ହେବା ପରେ ବର୍ତ୍ତମାନ ସେହି ନିୟମକୁ କୌଣସି ଶିକ୍ଷକ ମାନୁନଥିବା ଅଭିଯୋଗ ହୋଇଛି । ତେଣୁ ସମ୍ପୃକ୍ତ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଚି ।

ଏଥିସହିତ ପୂର୍ବରୁ ଶିକ୍ଷକଙ୍କ ଲାଗି ସମୟସୀମା ସକାଳ ୧୦ଟାରୁ ପୂର୍ବାହ୍ନ ୪ଟା ପର୍ଯ୍ୟନ୍ତ ଥିବା ବେଳେ ଏଣିକି ଶିକ୍ଷକମାନେ ଦୈନିକ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଏବଂ ୪ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ରହିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ।