‘ଆତ୍ମନିର୍ଭର ଭାରତ’ ଉପରେ ଜୋର ଦେଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୯୦ତମ ଦିବସ ଆଜି ଚଣ୍ଡୀଗଡ଼ରେ ପାଳନ କରାଯାଇଛି । ଏହି ଅବସରରେ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ବୀ.ଆର.ଚୌଧୁରୀ କହିଛନ୍ତି ଯେ, ଆସନ୍ତା ବର୍ଷ ବାୟୁସେନାରେ ମହିଳା ଅଗ୍ନିବୀରଙ୍କ ଭର୍ତ୍ତି ଆରମ୍ଭ ହେବ । ବର୍ତ୍ତମାନ ସମୟରେ ଲଢ଼େଇ ପଦ୍ଧତି ବଦଳୁଥିବାରୁ ଆମକୁ ମଧ୍ୟ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପଡ଼ିବ । ଏବେ ଆତ୍ମନିର୍ଭର ହେବାର ମଧ୍ୟ ଆବଶ୍ୟକତା ରହିଛି । ବାୟୁସେନା ନୂଆ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ପ୍ରସ୍ତୁତ କରୁଛି । ଏଥିଲାଗି ସରକାର ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଶାଖା ନିର୍ମାଣକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ବାୟୁସେନାର ନୂଆ ଯୁଦ୍ଧ ପୋଷାକ ଆଜି ଜାରି କରାଯାଇଛି । ସରକାର ମୋଟ ୮୪ଟି ବିମାନ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି । ଏଥିରେ ୫୦ଟି ଲଢ଼ୁଆ ବିମାନ ରହିଥିବାବେଳେ ୨୪ଟି ହେଲିକପ୍ଟର, ୮ଟି ଟ୍ରାନ୍ସଫର ଏୟାରକ୍ରାଫ୍ଟ ଓ ୨ଟି ଭିଣ୍ଟେଜ ବିମାନ ସାମିଲ ହୋଇଛି ।