ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟ, ବିଜେପି କହିଲା ଆଦିବାସୀ ବିରୋଧୀ ମାନସିକତା

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟ୍ବିଟକୁ ନେଇ ବର୍ଷିଲା ବିଜେପି । ଆଜି ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରେସମିଟ କରି କଂଗ୍ରେସ ଉପରେ ବର୍ଷିଛନ୍ତି । ସମ୍ବିତ କହିଛନ୍ତି ଏପରି ମନ୍ତବ୍ୟ କଂଗ୍ରେସ ଦଳର ମାନସିକତାକୁ ଦର୍ଶାଉଛି । ଦଳ ରଖିଥିବା ଆଦିବାସୀ ମାନସିକତାର ଏହା ଉଦାହରଣ ବୋଲି ସମ୍ବିତ କିହଛନ୍ତି । ସମ୍ବିତ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯେଉଁଭଳି ଶବ୍ଦ ପ୍ରୟୋଗ କରିବାରେ ଲାଗିଛି , ତାହା ଅତ୍ୟନ୍ତ ନିନ୍ଦନୀୟ । ନିକଟରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ଠାର ମଧ୍ୟ ଏପରି ଶବ୍ଦ ଶୁଣିବାକୁ ମିଳିଥିଲା । ଏପରି ବାରମ୍ବାର ମନ୍ତବ୍ୟ କଂଗ୍ରେସର ଆଦିବାସୀ ବିରୋଧୀ ନୀତିକୁ ଦର୍ଶାଉଛି ।ବରିଷ୍ଠ କଂଗ୍ରେସ ନେତା ଉଦିତ ରାଜ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ଟ୍ବିଟ କରିଥିଲେ । ରାଜ କରିଥିବା ଟ୍ବିଟରେ ଲେଖିଛନ୍ତି କୌଣସି ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ପରି ରାଷ୍ଟ୍ରପତି ନମିଳୁ । ଗୁଜୁରାଟରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ ଦେଶର ୭୦ ପ୍ରତିଶତ ନାଗରିକ ଗୁଜୁରାଟର ଲୁଣ ଖାଉଥିବା ମନ୍ତବ୍ୟକୁ ସେ ନିନ୍ଦା କରି ଏପରି ଟ୍ବିଟ କରିଛନ୍ତି । ଉଦିତ ରାଜ କହିଛନ୍ତି ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ । ଚାମଚାଗିରିର ମଧ୍ୟ କିଛି ସୀମା ଥାଏ ବୋଲି ଉଦିତ ଟ୍ବଟ କରିଥିଲେ ।

କଂଗ୍ରେସ ନେତାଙ୍କ ଏପରି ବୟାନ ଆସିବା ପରେ ଭାରତୀୟ ଜନତା ପାର୍ଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲା । ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସେହଜାଦ ପୁନାଓ୍ବାଲା ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ପୂର୍ବରୁ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସଂସଦରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ବିବାଦକୁ ଆସିଥିଲେ । ପରେ ସେ ଏପରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଦେଶ୍ୟମୂଳକ ନୁହେଁ ବରଂ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା ସଫେଇ ଦେଇଥିଲେ । ଆବଶ୍ୟକ ପଡିଲେ ସେ ରାଷ୍ଟ୍ରପତିଙ୍କୁ ଭେଟି ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା ମଧ୍ୟ କରିବା ନେଇ ସୂଚନା ଦେଇଥିଲେ ।