ତିହାର ଜେଲରେ ପଚରାଉଚୁରା ପରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଗିରଫ କଲା ଇଡ଼ି

ନୂଆଦିଲ୍ଲୀ,ଏଜେନ୍ସି: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମଙ୍କୁ ବୁଧବାର ତିହାର ଜେଲରେ ଇଡି ଅଧିକାରୀମାନେ ଜେରା କରିଥିଲେ। ପରେ ସେଠାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଜେରା କରିବା ପାଇଁ ତିହାର ଜେଲରେ ପହଞ୍ଚିଥିଲେ ।

ଗତକାଲି ବିଶେଷ ଅଦାଲତ ପକ୍ଷରୁ ଇଡ଼ିର ୩ଜଣ ଅଧିକାରୀଙ୍କୁ ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ପଚରାଉଚୁରା କରିବାକୁ ଅନୁମତି ମିଳିଥିଲା। ବୁଧବାର ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଚିଦାମ୍ବରମଙ୍କୁ ଭେଟିବାଲାଗି ଆଜି ସକାଳେ ପୁତ୍ର କାର୍ତ୍ତୀକ ଓ ପତ୍ନୀ ନଳିନୀ ତିହାର ଜେଲକୁ ଆସିଥିଲେ।

ଆଇଏନ୍ଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା। ଆଇଏନ୍ଏକ୍ସ ମାମଲାରେ ଚିଦମ୍ବରମଙ୍କୁ ଜେରା କରିବାକୁ ଇଡି ସିବିଆଇ କୋର୍ଟର ଅନୁମତି ମାଗିଥିଲା। ସ୍ବତନ୍ତ୍ର ଜଜ୍ ଅଜୟ କୁମାର କୁହାର ଉଭୟ ପକ୍ଷର ଶୁଣାଣି କରି ଚିଦମ୍ବରମଙ୍କୁ ଜେରା କରିବାକୁ ଇଡିକୁ ଅନୁମତି ଦେଇଛନ୍ତି। ଜେରା କରିବା ପରେ ଆବଶ୍ୟକ ଅନୁଯାୟୀ ଇଡି ଚିଦମ୍ବରମଙ୍କୁ ଗିରଫ କରିପାରେ ବୋଲି ସ୍ବତନ୍ତ୍ର ଜଜ୍ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆଇଏନ୍ଏକ୍ସ ମିଡିଆ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। ପିଟର ଏବଂ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ଦ୍ବାରା ପ୍ରତିଷ୍ଠିତ ଆଇଏନ୍ଏକ୍ସ ମିଡିଆକୁ ଫରେନ୍ ଇନ୍ଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ (ଏଫ୍ଆଇପିବି) ମଂଜୁରି ନେଇ ହୋଇଥିବା ଅନିୟମିତତାରେ ସିବିଆଇ ତଦନ୍ତ କରୁଛି।