ଭୁବନେଶ୍ୱର,ଏନ୍ଏନ୍ଏସ୍: ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର । ଏହା ଆମେ ସମସ୍ତେ ମନେ ରଖିବା ଦରକାର। ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ । ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଦ୍ଵିତୀୟ ଦିବସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ଵାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏକ ଆଞ୍ଚଳିକ ଦଳ ଭାବେ ଆମେ ସବୁବେଳେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ପ୍ରାଥମିକତା ଦେଇ ଆସିଛୁ। ଆଗକୁ ମଧ୍ୟ ଦେଇ ଚାଲିବୁ। ଆମ ଦଳ ଲୋକଙ୍କ ସୁଖଦୁଃଖରେ ଏବଂ ଲୋକଙ୍କ ସାଥିରେ ରହି ଆସିଛି। ଏହି ଧାରାକୁ ଅନୁସରଣ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କୁ ସାଥିରେ ନେଇ ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସାରା ରାଜ୍ୟରେ ଏହି ପଦଯାତ୍ରାକୁ ସଫଳ କରାନ୍ତୁ ।
ପ୍ରାରମ୍ଭରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ବରିଷ୍ଠ ନେତା ଅଶୋକ ପଣ୍ଡା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ, ଡ. ଅରୁଣ ସାହୁ ପ୍ରମୁଖ ଦ୍ୱିତୀୟ ଦିବସର ଏହି କର୍ମଶାଳାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।
ସଂଗଠନ ସମ୍ପାଦକ ଶ୍ରୀ ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ଓ ସ୍ୱଚ୍ଛ ପ୍ରଶାସନ ଯୋଗୁଁ ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ କିପରି ଉନ୍ନତିର ମାର୍ଗରେ ଦ୍ରୁତ ଗତିରେ ଆଗଉଛି, ତାହାର ବାର୍ତ୍ତା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବୈଠକରେ ଉପସ୍ଥିତ ଥିବା ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଦଳର ଜିଲ୍ଲା ଓ ବ୍ଳକ୍ କର୍ମକର୍ତାମାନଙ୍କୁ ମନ୍ତ୍ର ଦେଇଥିଲେ।
