ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ, ସତ୍ୟ ପ୍ରକାଶକୁ ଭୟ କାହିଁକି ? – କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମଗ୍ର ରାଜ୍ୟରେ ଝଡ଼ ସୃଷ୍ଟି କରିଥିବା ନିମାପଡ଼ା ବ୍ଲକର ୧୧ନଂ ଜୋନରେ ଜିଲ୍ଲା ପରିଷଦ ସଭ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଆଜି ପିସିସି ତରଫରୁ ମିଡିଆ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ସତ୍ୟ ପ୍ରକାଶକୁ ଭୟ କାହିଁକି ? ଶ୍ରୀ ବେହେରା ପୁର୍ନବାର ପଚାରିଥିଲେ ଯେ ବହୁ ଚର୍ଚ୍ଚିତ ମୋ’ ସରକାର ଆଉ ୫ଟି ଶାସନରେ ସତ ଲୁଚାଯାଉଛି କାହିଁକି ? ଧର୍ମେନ୍ଦ୍ର ସାହୁଙ୍କ ଦୁଃଖଦ ବିୟୋଗରେ ସରକାର ନିରପେକ୍ଷ ତଦନ୍ତ ଜରିଆରେ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା, ପ୍ରକୃତ ଅପରାଧୀଙ୍କ ଚିହ୍ନଟ କରିବା ଓ ଆଇନଅନୁସାରେ ଦଣ୍ଡବିଧାନ କରିବା କ୍ଷେତ୍ରରେ ପଛଘୁଞ୍ଚା ଦେବା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ।

ସେ ଉଲ୍ଲେଖ କରିଥିଲେ ଯେ ସ୍ଵର୍ଗତ ସାହୁ ଛାଡ଼ି ଯାଇଥିବା ଅଡ଼ିଓ ବିବରଣୀରୁ ସୂଚୀତ ହେଉଛି ଯେ ତାଙ୍କ ଦୁର୍ବିସହ ପାରିବାରିକ ଜଞ୍ଜାଳ ପାଇଁ ଯେଉଁମାନଙ୍କର ସମ୍ପୃକ୍ତି ଅଛି ସେମାନଙ୍କ ମଧ୍ୟରେ ନିମାପଡ଼ାର ବିଧାୟକ ତଥା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅଛନ୍ତି। ତେବେ ଆଇନ ତା ବାଟରେ ଯାଇ ମନ୍ତ୍ରୀଙ୍କ ପାଖରେ ପହଞ୍ଚୁ ନାହିଁ କାହିଁକି ? ବାରମ୍ବାର ଡିଣ୍ଡିମ ପିଟାଯାଉଥିବା ସ୍ଵଚ୍ଛ ଓ ଉତ୍ତରଦାୟୀ ଶାସନର ବିପରୀତ ଆଜି ରାଜ୍ୟବାସୀ ଅନୁଭବନ କରୁଛନ୍ତି।

ଏପରି ଏକ ଦୁଃଖଦାୟକ ଘଟଣାରେ କଂଗ୍ରେସ କେବଳ ଉଦ୍‌ବେଗ ପ୍ରକାଶ କରି ତୁନି ପଡ଼ିନାହିଁ। ସେପ୍ଟେମ୍ବର ୨୫ରେ ପିସିସିର ଏକ ପ୍ରତିନିଧି ଦଳ ଡିସିପିଙ୍କୁ ଭେଟି ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସେପ୍ଟେମ୍ବର ୨୮ ତାରିଖରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଭୁବନେଶ୍ଵରରେ ମନ୍ତ୍ରୀ ଶ୍ରୀ ଦାସଙ୍କ ସରକାରୀ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସେପ୍ଟେମ୍ବର ୨୯ରେ ପିପିଲିର ନିମାପଡ଼ା ଛକଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଅଭିଯୁକ୍ତ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି। ଆଜି ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ଆହ୍ବାନ କରି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନିମ୍ନମତେ ସରକାରଙ୍କ ନିକଟରେ ୩ଟି ଦାବି କରୁଛି।

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ସତ୍ୟ ଉଦ୍‌ଘାଟନ ନିମନ୍ତେ ଏହି ମାମଲାର କୋର୍ଟ ପରିଚାଳନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ତଦନ୍ତ କରନ୍ତୁ। ମାନ୍ୟବର ମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଘେରରେ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରନ୍ତୁ। ନିରପେକ୍ଷ ତଦନ୍ତ ନିମନ୍ତେ ମାନ୍ୟବର ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଯଦି ସରକାର କଂଗ୍ରେସର ଏହି ଯଥାର୍ଥ ଦାବିଗୁଡ଼ିକୁ କର୍ଣ୍ଣପାତ ନକରି ନୀରବ ରୁହନ୍ତି ଓ ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ତା’ ହେଲେ ଆନ୍ଦୋଳନକୁ ଆଗେଇନେବା ସହ ତୀବ୍ର କରିବାକୁ କଂଗ୍ରେସ ବାଧ୍ୟ ହେବ।

ଏହି ସାମ୍ବାଦିକ ସମ୍ମିଳନୀରେ ସ୍ବର ମିଳାଇ ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଡକ୍ଟର ରବିନ୍ଦ୍ର କୁମାର ସେଠୀ କହିଥିଲେ ଯେ ପିସିସି ପ୍ରତିନିଧ୍ବ ଦଳକୁ ଦେଇଥିବା ପ୍ରତିଶୃତି ପୁଲିସ ପାଳନ କରିନାହିଁ। ସେ ଅଭିଯୋଗ କରିଥିଲେ ଯେ ତଦନ୍ତକାରୀ ଅଫିସରଙ୍କୁ ଥାନାରୁ ହଟାଇବା ପରିବର୍ତ୍ତେ କେବଳ ତାଙ୍କ ଠାରୁ ତଦନ୍ତ ଦାୟିତ୍ବ ଆଉ ଜଣେ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲେ ମଧ୍ୟ ସେ ଏବେ ଧଉଳୀ ଥାନାରେ ଅଛନ୍ତି। ଶ୍ରୀ ସେଠୀ ପ୍ରଶ୍ନ କରିଥିଲେ ଯେ ସ୍ଵର୍ଗତ ସାହୁ ଅର୍ଥହୀନ ଥିଲେ ବୋଲି ଯାହା କୁହାଯାଉଛି ତାହା ଅସତ୍ୟ, କାରଣ ସେ ମାତ୍ର ୧୫ ଦିନ ତଳେ ଜମି ବିକି ୬୫ ଲକ୍ଷ ପାଇଥିଲେ। ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ମୃତ୍ୟୁ ଘଟଣାରେ ପ୍ରାୟ ୨ ଘଣ୍ଟା ପରେ ପାଚେରୀ ଡେଇଁ ପଳାଇଯାଇଥିବା ବ୍ୟକ୍ତିଟି କିଏ ବୋଲି ପ୍ରଶ୍ନ କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ପୁରୀ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବୀ ଲଲାଟେନ୍ଦୁ ଦାଶ ଘୋର ଉଦ୍‌ବେଗ ପ୍ରକାଶ କରିବା ସହ କେବଳ କଂଗ୍ରେସ ସମଗ୍ର ରାଜ୍ୟବାସୀ ମର୍ମାହତ। ଗୋଟିଏ ନୁହେଁ ତିନି ତିନିଟି ଅଡିଓ ବିବରଣୀ ସ୍ପଷ୍ଟଭାବେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ଇଙ୍ଗିତ କରୁଛି। ସୁତରାଂ ତଦନ୍ତକୁ ଅଧିକ ଦିଗହରା ନକରି କୋର୍ଟ ପରିଚାଳନରେ ସ୍ବତନ୍ତ୍ର ଅନୁସନ୍ଧାନ କରାଯାଉ ଓ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରୁଛି।