ଲକ୍ଷ୍ନୌ,ଏଜେନ୍ସି: ଲଖିମପୁର ଖେରୀରେ ମର୍ମନ୍ତୁନ୍ଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦୃତଗାମୀ ଟ୍ରକ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହେବା ପରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବୁଧବାର ଏକ ଯାତ୍ରାବହୀ ବସ୍ କିଛି ଯାତ୍ରୀଙ୍କୁ ନେଇ ଧାଉରହେରାରୁ ଲକ୍ଷ୍ନୌ ଯାଉଥିଲା । ଏହି ସମୟରେ ଇଶାନନଗର ଥାନା ଅଞ୍ଚଳ ଏରା ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ଯାତ୍ରୀଙ୍କ ପ୍ରାଣ ହାନୀ ଘଟିଥିବା ବେଳେ ୨୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଖବର ପାଇବା ପରେ ତୁରନ୍ତ ଅତିରକ୍ତ ଜିଲ୍ଲାପାଳ ଓ ସର୍କଲ ଅଫିସର ଜିଲ୍ଲା ହସ୍ପିଟାଲ୍ରେ ପହଞ୍ଚି ଦୁର୍ଘଟଣାର ଶିକାର ବ୍ୟକ୍ତି ବିଶେଷଙ୍କ ଚିକିତ୍ସା ସୁବିଧା ବିଷୟରେ ପଚାରି ବୁଝିଛନ୍ତି ।
ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ଲଖିମପୁର ଖେରୀରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ । ଏହି ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଆହତ ହୋଇଥିବା ବ୍ୟକ୍ତିବିଶେଷଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।”
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ସେ କହିଛନ୍ତି, “ଉତ୍ତରପ୍ରଦେଶ ଲଖିମପୁର ଖେରୀ ଦୁର୍ଘଟଣା ଖବର ଦ୍ବାରା ମର୍ମାହତ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଆହତ ବ୍ୟକ୍ତି ବିଶେଷଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଧାନମନ୍ତ୍ରୀ ରିଲିଫ୍ ଫାଣ୍ଠିରୁ ମୃତକଙ୍କ ପରିବାର ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ।”
ସେପଟେ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ । ତା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଆହତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଉଚିତ୍ ଚିକିତ୍ସା ଯୋଗାଇ ଦେବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।