ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂତନ କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳ ନିଯୁକ୍ତି ପାଇଛନ୍ତି । ପ୍ରଫେସର ରାଉଳ ନୂତନ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିବାରୁ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ଏକ ୩ ଜଣିଆ ପ୍ରତିନି ଦଳ ତାଙ୍କୁ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ଆସନ୍ତା ୨୦୨୩ ବର୍ଷ ଏପ୍ରିଲ ମାସ ୧୩ ତାରିଖରେ ବିଧାନସଭା ସୌଧସ୍ଥିତ ରାଜଧାନୀ ଶିଳାନ୍ୟାସ ଫଳକ ସମ୍ମୁଖରେ ପାଳିତ ହେବାକୁ ଯାଉଥିବା ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସର ପ୍ୟାରେଡ଼ ଓ ମାର୍ଜପାଷ୍ଟରେ ଓୟୁଏଟି ଅନ୍ତର୍ଗତ ପଶୁ ଚିକିତ୍ସା ବିଜ୍ଞାନ କଲେଜର ଘୋଡ଼ା ସବାର ବାହିନୀ ଅଂଶଗ୍ରହଣ କରିବାକୁ କମିଟିର ପ୍ରତିନି ଦଳ କୁଳପତିଙ୍କୁ ଅନୁରୋଧ କରିଥିଲେ ।
କୁଳପତି ପ୍ରଫେସର ରାଉଳ ଏ ସମ୍ପର୍କରେ ବିଶ୍ଚର କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧ ଦଳରେ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର ଓ ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଯାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପ୍ରଫେସର ରାଉଳ ଆପିକଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଶିକ୍ଷା କ୍ଷେତ୍ରରେ ୨୯ ବର୍ଷର ଅଭିଜ୍ଞତା ରହିଛି ଏବଂ ୯ଜଣ ପିଏଡ଼ି ସ୍କଲାରଙ୍କୁ ସଫଳତାର ସହିତ ଗାଇଡ୍ କରିବା ସହ ୩୯ଟି ପୁସ୍ତକ ପ୍ରକାଶନ କରିଛନ୍ତି । ତେଣୁ ପ୍ରଫେସର ରାଉଳଙ୍କ ପରି ଜଣେ ଯୋଗ୍ୟ ବ୍ୟକ୍ତି ଏହି ବୁହତ୍ ଶିକ୍ଷାନୁଷ୍ଠାନର ଦାୟିତ୍ର ସଠିକ ଭାବେ ନିର୍ବାହ କରିପାରିବେ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟକୁ ଆହୁରି ଆଗକୁ ଯିବା ସହ ବିଭିନ୍ନ କ୍ଷେତ୍ରରେ ସୁନାମ କରିବ ବୋଲି ପ୍ରତିନି ଦଳ ପ୍ରକାଶ କରିଥିଲେ ।