ନନ୍ଦନକାନନରେ ବିଶ୍ବ ହାତୀ ଦିବସ ପାଳନ

ଭୁବନେଶ୍ବର,ଏନ୍ଏନ୍ଏସ୍: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଳିତ ହୋଇଯାଇଛି ବିଶ୍ବ ହାତୀ ଦିବସ। ଏହି ଅବସରରେ ହାତୀମାନଙ୍କୁ ଖାଇବାକୁ ଦିଆଯିବା ସହିତ କେକ କଟାଯାଇଛି। ହାତୀ ମୃତ୍ୟୁ ରୋକିବାକୁ ସଚେତନ କରିବା ପାଇଁ ୨୦୧୨ ମସିହାରେ ଏହି ଦିବସ ଆରମ୍ଭ କରାଯାଇଥିଲା।ବର୍ତ୍ତମାନ ସୁଦ୍ଧା ନନ୍ଦନକାନନରେ ୪ଟି ହାତୀ ଅଛନ୍ତି। ପ୍ରେମା, ବାସନ୍ତୀ, ହୀରା ଏବଂ ମାମା ହାତୀ ରହିଛନ୍ତି।

ହାତୀ ମାମାକୁ ଅତିଥି ଓ କର୍ମଚାରୀମାନେ ନଡ଼ିଆ କଦଳୀ ଆଖୁ ତରଭୁଜ ଖୁଆଇ ଦିବସକୁ ପାଳନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍କୁଲ ପିଲାଙ୍କୁ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ ଏବଂ ସ୍ଲୋଗାନ ପ୍ରତିଯୋଗିତା କରାଯାଇଛି। ନନ୍ଦନକାନନରେ ପୂର୍ବରୁ ଥିବା ହାତୀ ଚନ୍ଦନ ଗୌରୀ କମଳା ଏବଂ ଜୁଲିକୁ ସମସ୍ତେ ମନେପକାଇଥିଲେ। ଏକ ଭୟଙ୍କର ଭୂତାଣୁ ହାରପିସ ସଂକ୍ରମଣରେ ସେମାନେ ଆକ୍ରାନ୍ତ ହୋଇଥିଲେ। ସଂକ୍ରମଣର ଦେଢମାସ ପରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଥିଲା।

ସେଥିମଧ୍ୟରୁ ଏକ ଛୋଟ ହାତୀ ବଞ୍ଚିଥିଲା, ଯାହାର ନାଁ ନନ୍ଦନକାନନ ବିଭାଗ ପକ୍ଷରୁ ମାମା ରଖାଯାଇଥିଲା। ବର୍ତ୍ତମାନ ମାମାକୁ ୬ ବର୍ଷ ହୋଇଛି। ହାତୀ ଦିବସ ନେଇ ନନ୍ଦନକାନନର ଡେପୁଟି ନିର୍ଦ୍ଦେଶକ ଡ଼. ସଞ୍ଜୀବ କୁମାର କହିଛନ୍ତି, “ଜନସାଧାରଣ ସଚେତନ ହେଲେ ହାତୀ ମୃତ୍ୟୁକୁ ରୋକାଯାଇପାରିବ। ସରକାରଙ୍କ ଯେଉଁ ଗାଇଡ଼ଲାଇନ ରହିଛି ତାକୁ ମାନି ଆମେ କାମ କରୁଛୁ। ନନ୍ଦନକାନନରେ ଯେତିକି ହାତୀ ଅଛନ୍ତି ସମସ୍ତଙ୍କ ଦାୟିତ୍ବ ଆମର।”