ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ନବୀନ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି ନବୀନ । ଆସନ୍ତାକାଲି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବାବେଳେ, ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ନବୀନ । ଆସନ୍ତାକାଲି ଶପଥ କାର୍ଯ୍ୟକ୍ରମ ପୂର୍ବରୁ ସୌଜନ୍ୟମୂଳକ ଭାବେ ଦ୍ରୌପଦୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ନବୀନ ।

ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବାପରେ ପ୍ରଥମେ ନବୀନ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଥିଲେ । ଏଥିସହ ଦଳମତ ନିର୍ବିଶେଷରେ ଓଡିଶାର ସମସ୍ତ ବିଧାୟକ ମାଟିର ଝିଅ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ମଧ୍ୟ ଆହ୍ବାନ କରିଥିଲେ । ଦଳ ପକ୍ଷରୁ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ କିଛି ମନ୍ତ୍ରୀଙ୍କୁ ପ୍ରତିନିଧି ଭାବେ ମଧ୍ୟ ପଠାଇଥିଲେ ନବୀନ ।

ଦ୍ରୌପଦୀ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିବା ପରେ ବିଜେଡି ପକ୍ଷରୁ ବିଜୟ ଉତ୍ସବ ମଧ୍ୟ ପାଳନ କାରାଯାଇଥିଲା । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦିଲ୍ଲୀ ଗସ୍ତରେ ଥିବାବେଳେ, ଆଜି ସୌଜନ୍ୟମୂଳକ ଭାବେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ।