ନୂଆଦିଲ୍ଲୀ,ଏଜେନ୍ସି: ଟିଏମସି(ଟିଏମ୍ସି)ର କ୍ଷମତାଶାଳୀ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫ ପରେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ମମତା ବାନାର୍ଜୀ ଦୁର୍ନିତୀର ରେକର୍ଡ ପାର କରିଥିବା ସହ ”ଟିଏମ୍ସି ଦୁର୍ନିତୀର ପର୍ବତ” ବୋଲି କହିଛନ୍ତି ଅନୁରାଗ ଠାକୁର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ”ମମତା ବାନାର୍ଜୀଙ୍କ ଶାସନ ସମୟର ଚିଟ ଫଣ୍ଡ ଦୁର୍ନିତୀ ଏବଂ କୋଇଲା ଦୁର୍ନିତୀ ହୋଇଥିଲା, ଆଉ ବର୍ତ୍ତମାନ ଶିକ୍ଷକ ନିଯୁକ୍ତି କ୍ଷେତ୍ରେର ଦୁର୍ନିତୀ ସାମ୍ନାକୁ ଆସିଛି । ଯଦି ତାଙ୍କ ଘନିଷ୍ଠ ସହଯୋଗୀଙ୍କ ଠାରୁ ୨୧ କୋଟି ଟଙ୍କା ଜବତ ହେଉଛି ତେବେ ଅନୁମାନ କରନ୍ତୁ କେତେ ବଡ ବଡ ଦୁର୍ନିତୀ ହୋଇପାରେ, ଯାହା ଫଳରେ ବର୍ତ୍ତମାନ ଟିଏମ୍ସି ଦୁର୍ନିତୀର ଏକ ପାହଡ ପରି ଛିଡା ହୋଇଛି”।
ସେ ଅଭିଯୋଗ କରିଛନ୍ତି, ” ମମତା ବାନାର୍ଜୀଙ୍କ ସରକାରରେ ଘୋର ଦୁର୍ନିତୀ ଚାଲିଛି ଏବଂ ତାଙ୍କ ମନ୍ତ୍ରୀମାନଙ୍କୁ ଦୁର୍ନିତୀରେ ଲିପ୍ତ ରହିବା ପାଇଁ ସାହସ ମଧ୍ୟ ଦିଆଯାଉଛି । ଟିଏମସି ଓ ଆମ ଆଦମି ପାର୍ଟି ମଧ୍ୟରେ ପ୍ରତିଯୋଗିତା ଚାଲିଛି କିଏ ଅଧିକ ଦୁର୍ନିତୀ କରିପାରୁଛି”। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କରେ ବିଜେପି ନେତା କହିଛନ୍ତି ଯେ, ”ଯେଉଁମାନେ ପୂର୍ବରୁ ଦୁର୍ନିତୀ ବିରୋଧରେ କଥା ହେଉଥିଲେ, ରାଜନୀତିରେ ପ୍ରବେଶ କରିବା ପରେ ସେମାନେ ଦୁର୍ନିତୀରେ ଜଡିତ ହୋଇ ଆଜି ଉତ୍ତର ଦେଇ ପାରୁନାହାନ୍ତି”।
ଶନିବାର ପଶ୍ଚିମବଙ୍ଗରେ ସ୍କୁଲ ସର୍ଭିସ କମିଶନ ନିଯୁକ୍ତି ଦୁର୍ନିତୀ ମାମଲାରେ ମମତା ସରକାରର ଅନ୍ୟତମ କ୍ଷମତାଶାଳୀ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଥିଲା । ଏହାପୂର୍ବରୁ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ହାୱାଲା ମାମଲାରେ ଅର୍ଥ ହେରଫେର ନେଇ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।