ମେଘାଳୟରେ ବଡ଼ଧରଣର ସେକ୍ସ ରାକେଟ, ୭୩ ଅଭିଯୁକ୍ତ ଗିରଫ, ୬ ନାବାଳିକା-ନାବାଳକ ଉଦ୍ଧାର

ଶିଲଂ,ଏଜେନ୍ସି: ମେଘାଳୟରେ ପୋଲିସ ଶନିବାର ଏକ ବଡ଼ଧରଣର ସେକ୍ସ ରାକେଟ ଠାବ କରିଛି । ଏକ ବେଶ୍ୟାଳୟରେ ଚଢ଼ଉ କରି ପୋଲିସ ୬ ଜଣ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରିଛି । ପୋଲିସ ବେଆଇନ କାର୍ଯ୍ୟରେ ସଂପୃକ୍ତ ୭୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଚଢ଼ଉ ସମୟରେ ପୋଲିସ ୪୦୦ ବୋତଲ ମଦ ଓ ମାତ୍ରାଧିକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଜଣେ ପୋଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ଏସ୍‌ପି ବିବେକାନନ୍ଦ ସିଂହ କହିଛନ୍ତି ଯେ, ଗୁଇନ୍ଦା ସଂସ୍ଥା ଆଧାରରେ ଏକ ନିଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରାଯାଇଥିଲା । ସିଂହ କହିଛନ୍ତି ଆମେ ୬ ଜଣ ନାବାଳିକା ଓ ନାବାଳକଙ୍କୁ ବେଶ୍ୟାଳୟରୁ ଉଦ୍ଧାର କରିଛୁ । ଅଭିଯୁକ୍ତଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ । ସମସ୍ତ ନାବାଳକ ଓ ନାବାଳିକାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ସେମାନଙ୍କର ମେଡିକାଲ ପରୀକ୍ଷା ମଧ୍ୟ କରାଯାଇଛି ।