ଭାରତୀୟ ରାଜନୀତିରେ ନୂଆ ଇତିହାସ, ଦ୍ରୌପଦୀ ମୁର୍ମୁଙ୍କ ମହାବିଜୟ

ନୂଆଦିଲ୍ଲୀ,ଏଜେନ୍ସି: ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳା । ଶେଷ ହେଲା ଭୋଟ ଗଣତି । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ । ମତଦାନର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦୀ।

ମୋଟ ୪ ରାଉଣ୍ଡ ଭୋଟ ଗଣତି ପରେ ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି। ଏହାର ମୂଲ୍ୟ ୬,୭୬,୮୦୩। ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା। ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ।

ସେହିପରି ଯଶୱନ୍ତ ସିହ୍ନା ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି। ଏହାର ମୂଲ୍ୟ ୩,୮୦,୧୭୭। ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ଯଶୱନ୍ତଙ୍କ ଠାରୁ ଅଧିକ ଥିବାରୁ ରିଟର୍ଣ୍ଣିଂ ଅଫିସର ପିସି ମୋଦୀ ରାତି ପ୍ରାୟ ୯.୪୦ରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି।

ଆସନ୍ତା ୨୪ ତାରିଖ ଦିନ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଜୁଲାଇ ୨୫ ତାରିଖ ସୋମବାର ଦିନ ଭାରତବର୍ଷର ପଞ୍ଚଦଶ ମହାମହିମ ରାଷ୍ଚ୍ରପତି ଭାବେ ଶପଥ ନେବେ ଓଡିଶାର ଦ୍ରୌପଦୀ ମୁର୍ମୁ । ଯଦିଓ ଦ୍ରୌପଦୀଙ୍କ ବିଜୟ ନିଶ୍ଚିତ ଥିଲା । ତଥାପି ବିଜେପି ଭୋଟ ପ୍ରତିଶତ ବଢାଇବାକୁ ଉଦ୍ୟମ କରିଥିଲା ।

ଭାରତୀୟ ରାଜନୀତି ଇତିହାସରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଏହାସହ ଭାରତ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ ।