ଦ୍ରୌପଦୀ ମୁର୍ମୁ ସମୁଦାୟ ଭୋଟର ୫୦ ପ୍ରତିଶତ ହାସିଲ କରି ନିଶ୍ଚିତ କଲେ ରାଷ୍ଟ୍ରପତି ପଦ

ନୂଆଦିଲ୍ଲୀ,ଏଜେନ୍ସି: ଘୋଷଣା ହେଲା ରାଷ୍ଟ୍ରପତି ନିର୍ବାଚନ ଫଳାଫଳା। ଦେଶର ମହିଳା ମାନଙ୍କ ପାଇଁ ଆଜି ଏକ ବଡ଼ ଦିନ। ବିଶେଷ କରି ଆଦିବାସୀ ମହିଳାଙ୍କ ପାଇଁ ଏକ ଗର୍ବର ବିଷୟ। ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ୫୦ ପ୍ରତିଶତ ଭୋଟରେ ଆଗୁଆ ରହି ଦେଶରେ ରାଷ୍ଟ୍ରପତି ପଦକୁ ନିଶ୍ଚିତ କରିଛନ୍ତି। ଏହାସହ ଭାରତ ଦ୍ବିତୀୟ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ। ଏନେଇ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ମଧ୍ୟ ଟୁଇଟ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ଏହାର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟସଭା ସଚିବ ପିସି ମୋଦୀ। ସେ କହିଛନ୍ତି ଯେ ଏହି ରାଉଣ୍ଡ ପର୍ଯ୍ୟନ୍ତ ମୋଟ ବୈଧ ଭୋଟ୍ ୩,୨୧୯ ଗଣାଯାଇଛି, ଯାହାର ମୋଟ ମୂଲ୍ୟ ହେଉଛି ୮,୩୮,୮୩୯। ସେଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୫,୭୭,୭୭୭ ମୂଲ୍ୟର ୨୧୬୧ ଭୋଟ୍ ପାଇଛନ୍ତି। ଯଶୱନ୍ତ ସିହ୍ନା ୨,୬୧,୦୬୨ ମୂଲ୍ୟର ୧୦୫୮ ଭୋଟ୍ ପାଇଛନ୍ତି।

ରାଷ୍ଟ୍ରପତି ନିର୍ବାଚନାର ଭୋଟ ଗଣତି ଅନୁସାରେ ପ୍ରଥମ ରାଉଣ୍ଡରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ସଦସ୍ୟଙ୍କ ଭୋଟ ପାଇବାରେ ସଫଳ ହୋଇଥିଲେ। ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ପାଇଥିବା ଭୋଟର ମୂଲ୍ୟ ୩,୭୮,୦୦୦। ସେହିପରି ବିରୋଧୀଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ସପକ୍ଷରେ ୨୦୮ ସଦସ୍ୟଙ୍କ ଭୋଟ୍ ଅର୍ଥାତ ୧,୪୫,୬୦୦ ମୂଲ୍ୟର ଭୋଟ ରହିଥିଲା। ପ୍ରଥମ ରାଉଣ୍ଡରେ ବିରୋଧୀ ପ୍ରାର୍ଥୀ ଯୋଶବନ୍ତ ସିହ୍ନାଙ୍କ ଠାରୁ ଦ୍ରୌପଦୀ ୨,୩୨,୪୦୦ ଭୋଟ ସହ ବିଶାଳ ବ୍ୟବଧାନରେ ଆଗୁଆ ରହିଥିଲେ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୧୦ ରାଜ୍ୟର ବିଧାନସଭା ସଦସ୍ୟଙ୍କ ଭୋଟ ଗଣତି ଶେଷ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୧,୧୩୮ ଅର୍ଥାତ ୧,୪୯,୫୭୫ ଭୋଟ ଗଣତି ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ ପାଇବାରେ ସଫଳ ହୋଇଛନ୍ତି । ଦ୍ରୋପଦୀ ପାଇଥିବା ଭୋଟର ମୂଲ୍ୟ ୧,୦୫,୨୯୯ । ସେହିପରି ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଏହି ପର୍ଯ୍ୟାୟରେ ମାତ୍ର ୩୨୯ ବା ୪୪,୨୭୬ ମୂଲ୍ୟରେ ଭୋଟରେ ସୀମିତ ରହିଛନ୍ତି ।