ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶର ରାଜଧାନୀ ଲଖନଉସ୍ଥିତ ‘ଲୁଲୁ ମଲ୍’ରେ ନମାଜ ପାଠକୁ ନେଇ ବିବାଦ ବଢ଼ି ଚାଲିଛି । ଶନିବାର କିଛି ଯୁବକ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରି ଲୁଲୁମଲ୍ ଭିତରେ ହନୁମାନ ଚାଲିସା ପାଠ କରିଛନ୍ତି । ଏହା ପରେ ସ୍ଥାନୀୟ ପୋଲିସ ସତର୍କ ହୋଇଯାଇଛି । ଲଖନଉ ପୋଲିସ କମିଶନର ଡିକେ ଠାକୁରଙ୍କ ତରଫରୁ କୁହାଯାଇଛି ଯେ, ହନୁମାନ ଚାଲିସାର ଭାଇରାଲ ଭିଡିଓ ଉପରେ ସେ ଅବଗତ ଅଛନ୍ତି ।
ପୋଲିସ କମିଶନର ଲୁଲୁମଲର ସୁରକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ କହିଛି ଯେ, ଲୁଲୁମଲର ବାହାରକୁ ଡ୍ରୋନ୍ ମାଧ୍ୟମରେ ନଜର ରଖାଯିବ । ମଲ୍ର ଆଖପାଖ ଅଞ୍ଚଳର ଗତିବିଧି ଉପରେ ମଧ୍ୟ ପୋଲିସ ନଜର ରଖିବ । ଏହା ବ୍ୟତୀତ ଲୁଲୁ ମଲ ଆଡକୁ ଯାଉଥିବା ପ୍ରମୁଖ ରାସ୍ତାରେ ଡ୍ରୋନ କ୍ୟାମେରା ଉଡ଼ାଯିବ ।
ସୂଚନାଯୋଗ୍ୟ, ଲୁଲୁମଲରେ ନମାଜ ପାଠ ପରେ ହନୁମାନ ଚାଲିସା ପାଠର ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଲୁଲୁ ମଲ ଭିତରେ ୨ ଜଣ ଯୁବକ ଜୟ ଶ୍ରୀରାମ ଶ୍ଲୋଗାନ ଦେଉଛନ୍ତି । ଘଟଣାସ୍ଥଳରୁ ସୁରକ୍ଷା କର୍ମୀ ଯୁବକମାନଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛି । ଏହା ପୂର୍ବରୁ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଧାମିର୍କ କାର୍ଯ୍ୟ କରିବାକୁ ପହଞ୍ଚିଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ କହିବା ଅନୁସାରେ ଲଖନଉରେ ପୂର୍ବରୁ ହିଁ ୧୪୪ ଧାରା ଲାଗୁ ହୋଇଛି । ଏହାର ଉଲ୍ଲଂଘନକାରୀକୁ ଗିରଫ କରାଯାଇଛି ।
ଗତ ୧୦ ତାରିଖ ଦିନ ଲୁଲୁ ମଲ ଉଦ୍ଘାଟିତ ହୋଇଥିଲା । ଏହାର ଦିନକ ପରେ ଏକ ଭିଡିଓ ଆସିଥିଲା ଯେ, ମଲ ପରିସରରେ କିଛି ଲୋକ ନମାଜ ପାଠ କରୁଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଏକ ଧାର୍ମିକ ଅନୁଷ୍ଠାନ ଅଭିଯୋଗ ଆଣିଥିଲା । ଏକ ସଂସ୍ଥାର ରାଷ୍ଟ୍ରୀୟ ମୁଖପାତ୍ର କହିଥିଲେ ଯେ, ଲୁଲୁ ମଲରେ ନମାଜ ପାଠ କରାଯାଉଛି । ଭିଡିଓରୁ ସ୍ପଷ୍ଟ ହୋଇଯାଇଥିଲା ଯେ, ସରକାରଙ୍କ ଆଦେଶର ଉଲ୍ଲଂଘନ ହେଉଛି । କାରଣ ସରକାର ପୂର୍ବରୁ ହିଁ ଘୋଷଣା କରିଥିଲେ ଯେ, ସର୍ବସାଧାରଣସ୍ଥଳରେ ଧାର୍ମିକ କାର୍ଯ୍ୟ କରାଯାଇପାରିବ ନାହିଁ ।