ନୂଆଦିଲ୍ଲୀ: ଅମରନାଥ ଗୁମ୍ଫାରେ ବାଦଲ ଫଟା ବର୍ଷା ପରେ ହୋଇଥିବା ବନ୍ୟାରେ ଅନେକ ଲୋକ ଭାସି ଯାଇଛନ୍ତି । ଉକ୍ତ ଘଟଣାରେ ୧୬ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଉର୍ଦ୍ଧ୍ୱ ନିଖୋଜ ଥିବା ସୂଚନା ମିଳିଛି । ଘଟଣା ପରେ ଭାରତୀୟ ସେନା, ଏନଡିଆରଏଫ୍ ଟିମ୍, ଆଇଟିବିପି ଓ ଜମ୍ମୁ-କଶ୍ମୀର ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଅନ୍ୟପଟେ ୪୮ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି । ସେନାର ଏମ୧-୧୭ ହେଲିକପ୍ଟର ସାହଯ୍ୟରେ ବର୍ତ୍ତମାନ ସୁଦ୍ଧା ୮ଜଣଙ୍କ ଶବକୁ ଏୟାରଲିଫ୍ଟ କରି ଶ୍ରୀନଗର ଅଣାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ହଠାତ୍ ଆସିଥିବା ବନ୍ୟା ଯୋଗୁ ପବିତ୍ର ଗୁମ୍ଫା ନିକଟରୁ ଅଧିକାଂଶ ଯାତ୍ରୀଙ୍କୁ ପଞ୍ଜତରଣୀ ସ୍ଥାନାନ୍ତର କରାଯାଇଥିଲା । ଆଇଟିବିପି ଗୁମ୍ଫାରୁ ପଞ୍ଜତରଣୀ ପର୍ଯ୍ୟନ୍ତ ରାସ୍ତା ଖୋଲିବା ଏବଂ ସୁରକ୍ଷା ବଳକୁ ବିସ୍ତାର କରିଥିଲା । ଯାତ୍ରୀଙ୍କୁ ସୁରକ୍ଷିତ ପଞ୍ଜତରଣୀ ପହଞ୍ଚାଇବା କାର୍ଯ୍ୟ ରାତି ପ୍ରାୟ ୩ଟା ୩୦ ପର୍ଯ୍ୟନ୍ତ ଜାରି ରହିଥିଲା । ବର୍ତ୍ତମାନ ସୁଦ୍ଧା ୧୫ ହଜାର ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି ।