ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗମୋହନ ରେଡ୍ଡୀଙ୍କ ମା’ ୱାଇ ଏସ ବିଜୟମ୍ମା ୱାଇଏସଆର କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ବିଜୟମ୍ମା ଝିଅ ଶର୍ମିଲାଙ୍କ ପାର୍ଟିରେ ଯୋଗଦେବା ପାଇଁ ଏହି ପଦ ଛାଡ଼ିଛନ୍ତି । ଶର୍ମିଲା ପଡ଼ୋଶୀ ରାଜ୍ୟରେ ୱାଇଏସଆର ତେଲେଙ୍ଗାନା ପାର୍ଟିର କମାଣ୍ଡ ସମ୍ଭାଳୁଛନ୍ତି ।
ଅମରାବତୀରେ ଆରମ୍ଭ ହୋଇଥିବା ପାର୍ଟି ଅଧିବେସନରେ ୱାଇଏସଆର କଂଗ୍ରେସ ଛାଡ଼ିବା ନେଇ ୱାଇ ଏସ ବିଜୟମ୍ମା ଘୋଷଣା କରିଥିଲେ । ଏହି ଅବସରରେ ବିଜୟମ୍ମା କହିଥିଲେ ଯେ, ଜଣେ ମା’ ରୂପେ ସର୍ବଦା ଜଗନ ପାଖରେ ରହିବି । ଶର୍ମିଲା ନିଜ ପିତାଙ୍ଗ ଆଦର୍ଶକୁ ଆଗକୁ ନେବା ପାଇଁ ତେଲେଙ୍ଗାନାରେ ଏକାକୀ ଲଢ଼ୁଛି । ସେଥିପାଇଁ ମୋତେ ତାକୁ ସମର୍ଥନ କରିବାକୁ ପଡ଼ିବ । ମୁଁ ୨ଟି ରାଜନୈତିକ ଦଳର ସଦସ୍ୟ ରହିବାକୁ ନେଇ ଦ୍ୱନ୍ଦରେ ଥିଲି । ୱାଇଏସଆର କଂଗ୍ରେସର ଅଧ୍ୟକ୍ଷ ପଦରେ ରହିବା ମୋ ପାଇଁ ଖୁବ୍ କଠିନ । ମୁଁ କେବେ ଭାବି ନଥିଲି ଯେ ଏପରି ସ୍ଥିତି ଉପୁଜିବ । ମୁଁ ଜାଣିନି ଏମିତି କାହିଁକି ହେଲା କିନ୍ତୁ ଏହା ପଛରେ ଈଶ୍ୱରଙ୍କ ଇଚ୍ଛା ରହିଛି ।
ସୂଚନାଯୋଗ୍ୟ, ଗତ କିଛିଦିନ ହେବ ସମ୍ପତ୍ତିକୁ ନେଇ ଜଗମୋହନ ରେଡ୍ଡୀ ଓ ଶର୍ମିଲାଙ୍କ ମଧ୍ୟରେ ସବୁକିଛି ଠିକ୍ ନଥିଲା । ଦୁହିଁଙ୍କ ମଧ୍ୟରେ ତିକ୍ତତା ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ ମା’ ବିଜୟମ୍ମା ଜଗମୋହନଙ୍କୁ ଛାଡ଼ି ଅଲଗା ରହୁଥିଲେ ।