ଅମରନାଥ ଯାତ୍ରା: ଅଂଶଗ୍ରହଣ କଲେଣି ୬୫ ହଜାର ଶ୍ରଦ୍ଧାଳୁ

ଶ୍ରୀନଗର,ଏଜେନ୍ସି: ଜାରି ରହିଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଦୁଇ ବର୍ଷ କୋଭିଡ କାରଣରୁ ବନ୍ଦ ରହିବା ପରେ ଯାତ୍ରା ହେଉଥିବାରୁୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି। ପଞ୍ଜୀକରଣ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୬୫ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି। ଏହି ଯାତ୍ରୀମାନେ ଜମ୍ମୁ ବେସ କ୍ୟାମ୍ପରୁ ବାବା ଅମରନାଥଙ୍କ ଗୁମ୍ଫା ସ୍ଥଳକୁ ଯାତ୍ରା କରି ଦର୍ଶନ ପରେ ଫେରିଛନ୍ତି। ଗତମାସ ଜୁନ ୩୦ରେ ଆରମ୍ଭ ହୋଇଥିବା ଯାତ୍ରା ସୁରୁଖୁରୁରେ ଜାରି ରହିଛି।

ଯାତ୍ରା ପ୍ରଥମ ଦିନରେ ଜମ୍ମୁର ଭଗବତୀ ନଗର ବେସ କ୍ୟାମ୍ପରୁ ଚଳିତ ବର୍ଷର ପ୍ରଥମ ବ୍ୟାଚ ଅଂଶଗ୍ରହଣ କରିଥିଲେ। ଯାତ୍ରା ପାଇଁ ଦୁଇଟି ମାର୍ଗ ନିର୍ଦ୍ଧାରିତ କରାଯାଇଥିଲା। ଦୁଇ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବାବା ଅମରନାଥ ଗୁମ୍ଫାର ଦୂରତା ବେସକ୍ୟାମ୍ପରୁ ୧୪ କିମି ରହିଛି। ସମୁଦ୍ର ପତନ ଠାରୁ ୩,୮୮୮ ମିଟର ଉଚ୍ଚତାରେ ରହିଛି। ତେବେ ଯାତ୍ରାରେ ସାମିଲ ହେଉଥିବା ଶ୍ରଦ୍ଧାଳୁ ଗୋଟିଏ ଦିନରେ ବାବାଙ୍କ ଦର୍ଶନ କରି ବେସ କ୍ୟାମ୍ପକୁ ଫେରିବାକୁ ବ୍ୟବସ୍ଥା କରାଯାଇଛି ।

ପାଦଚଲା ମାର୍ଗ ବ୍ୟତୀତ ହେଲିକପ୍ଟର ସର୍ଭିସ ମଧ୍ୟ ଉପଲବ୍ଧ ରହିଛି। ଯାତ୍ରୀମାନେ ହେଲିକପ୍ଟରରେ ମଧ୍ୟ ଯାତ୍ରା କରି ବାବାଙ୍କ ଗୁମ୍ଫା ନିକଟରେ ହେଲିପ୍ୟାଡରେ ଅବତରଣ କରିପାରିବେ। ଗତମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପବିତ୍ର ଯାତ୍ରା ଆସନ୍ତାମାସ (ଅଗଷ୍ଟ) ୧୧ ତାରିଖରେ ଶେଷ ହେବ। ଗତ ଦୁଇ ବର୍ଷ କୋଭିଡ କାରଣରୁ ଯାତ୍ରା ବନ୍ଦ ରହିବା କାରଣରୁ ଚଳିତ ଥର ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲିକ୍ଷିତ ହେଉଛି।